ମାଲକାନଗିରି, ୨୩/୦୭(ପିପିଟି):ମାଲକାନଗିରି ଜିଲ୍ଲାରେ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା।ଗତ ୨୨ ତାରିଖ ଦିନ ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଅବକାରୀ ଦଳ ପେପରମେଟଲା ଥାନା ଅନ୍ତର୍ଗତ ସିଲିଗୁମା ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ ୪୦୦ କିଲୋ ଗଞ୍ଜେଇ ଜବତ କରିଛି।
ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଅବକାରୀ ବିଭାଗର ଏକ ବିଶେଷ ଟିମ୍ ସିଲିଗୁମା ଜଙ୍ଗଲରେ ତଦନ୍ତ କରିଥିଲା। ତଦନ୍ତ ସମୟରେ ଜଙ୍ଗଲ ମଧ୍ୟରେ ଗୁପ୍ତ ଭାବେ ଲୁଚାଇ ରଖାଯାଇଥିବା ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରାଯାଇଥିବା
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଏକ ଦାବି ବିହିନ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ ପାଇଁ ତଦନ୍ତ ଚାଲିଛି। ଏହି ଚଢ଼ାଉ ଅଭିଯାନରେ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ, ଉପନିରୀକ୍ଷକ ବ୍ରଜ ବିହାରୀ ନାୟକ, ଦୀନବନ୍ଧୁ ସିରା, ଏ.ଏସ.ଆଇ ରାମଚନ୍ଦ୍ର ହନ୍ତାଲ, କନେଷ୍ଟବଳ ବିପୁଲ ଶେଖର ଯୋଦ୍ଦାର, ଜ୍ଞାନ ରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ନାୟକ, ମୂରଲୀ ରଜକ, ନାଗେଶ ପଣ୍ଡା, ସରିତା ନାୟକ ଓ ଜୁଲି ସା ପ୍ରମୁଖ ସାମିଲ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)