ଛଅ ମାସ ହେଲା ଭୋକେସନାଲ ଶିକ୍ଷକଙ୍କ ଦରମା ବକେୟା, କେତେକ ଅଞ୍ଚଳରେ ବୟସ୍କଙ୍କ ଭତ୍ତା ବନ୍ଦ ।

ଭୁବନେଶ୍ୱର,୩୦/୦୯(ପିପିଟି ):ରାଜ୍ୟରେ ବିଭିନ୍ନ ସରକାରୀ ଯୋଜନା ଓ ଅନୁଦାନର ଅର୍ଥ ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ ବଢ଼ିଛି। ଭୋକେସନାଲ ଶିକ୍ଷକମାନେ ଦୀର୍ଘ ଛଅ ମାସ ଧରି ଦରମା ପାଇନଥିବାବେଳେ ବିଭିନ୍ନ ଅଞ୍ଚଳରେ ବୟସ୍କ ନାଗରିକମାନେ ପ୍ରାୟ ପାଞ୍ଚ ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପାଇନଥିବା ଅଭିଯୋଗ ହୋଇଛି। ଏହା ସହ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନରେ ମଧ୍ୟ ବିଳମ୍ବ ହୋଇଥିବା ଜଣାପଡ଼ିଛି।

ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋକେସନାଲ ଟ୍ରେନିଂ ପାର୍ଟନର୍‌ଙ୍କ ମାଧ୍ୟମରେ ନିଯୁକ୍ତ ଶିକ୍ଷକମାନଙ୍କ ଦରମା ବକେୟା ରହିଛି। ଶିକ୍ଷକମାନଙ୍କ କହିବା ଅନୁସାରେ, ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଦେୟ ପ୍ରଦାନରେ ବିଳମ୍ବ ହେବାରୁ ସେମାନଙ୍କ ଦରମା ପ୍ରଭାବିତ ହୋଇଛି। ୨୦୨୫-୨୬ ଶିକ୍ଷାବର୍ଷର ବକେୟା ଦରମା ସମ୍ପୂର୍ଣ୍ଣ ଭାବେ ମିଳିନଥିବା ସହ ଚଳିତ ଶିକ୍ଷାବର୍ଷର ମଧ୍ୟ କିଛି ମାସର ଦେୟ ବକେୟା ରହିଛି।

ଓସେପା ମାଧ୍ୟମରେ ୨୦୧୬ରୁ ପର୍ଯ୍ୟାୟକ୍ରମେ ପ୍ରାୟ ୩,୨୨୬ ଜଣ ଭୋକେସନାଲ ଶିକ୍ଷକ ନିଯୁକ୍ତ ହୋଇଥିବା କୁହାଯାଇଛି। ସେମାନେ ବିଦ୍ୟାଳୟରେ ଥିଓରୀ ଓ ପ୍ରାକ୍ଟିକାଲ୍‌ ଶିକ୍ଷାଦାନ, ରେକର୍ଡ ପ୍ରସ୍ତୁତି, ଶିଳ୍ପାନୁଷ୍ଠାନ ପରିଦର୍ଶନ ଓ ବିଭିନ୍ନ ବୈଷୟିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନିୟମିତ ଦରମା ନମିଳିବା ଯୋଗୁଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏହିପରି ରାଜ୍ୟର ୬୦୦ରୁ ଅଧିକ ଏସ୍‌ସି ଓ ଏସ୍‌ଟି ଛାତ୍ରାବାସ ଓ ଛାତ୍ରୀନିବାସର ଅନ୍ତେବାସୀଙ୍କୁ ପ୍ରାକ୍‌-ମାଟ୍ରିକ୍‌ ଛାତ୍ରବୃତ୍ତି ମିଳିନଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ରେ ମଧ୍ୟ ୬୦ରୁ ଅଧିକ ଛାତ୍ରାବାସ ଓ ଛାତ୍ରୀନିବାସ ଏହାର ପ୍ରଭାବରେ ଥିବା କୁହାଯାଇଛି। ଛାତ୍ରବୃତ୍ତି ଅର୍ଥ ଶିକ୍ଷା ସାମଗ୍ରୀ, ପୁସ୍ତକ, ଖାତା ଓ ଅନ୍ୟାନ୍ୟ ଆବଶ୍ୟକତା ସହ ଛାତ୍ରାବାସର ଖାଦ୍ୟ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବାରୁ ଏହାର ବିଳମ୍ବ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

ଅନ୍ୟପକ୍ଷରେ, ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରିକମାନେ ପ୍ରାୟ ପାଞ୍ଚ ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପାଇନଥିବା ଅଭିଯୋଗ ହୋଇଛି। ପ୍ରଥମେ ବୈଷୟିକ ସମସ୍ୟା ଯୋଗୁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିବା କୁହାଯାଇଥିଲା। ବିଧାନସଭାରେ ମଧ୍ୟ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ବୈଷୟିକ କାରଣ ଦର୍ଶାଇ ଶୀଘ୍ର ଭତ୍ତା ପ୍ରଦାନ କରାଯିବ ବୋଲି କହିଥିବା ଜଣାପଡ଼ିଛି।

ବିଭିନ୍ନ ବିଭାଗର ଦେୟ, ବୃତ୍ତି ଓ ଭତ୍ତା ପ୍ରଦାନରେ ଲଗାତାର ବିଳମ୍ବକୁ ନେଇ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ବିଳମ୍ବର ପ୍ରକୃତ କାରଣ ଓ ବକେୟା ଅର୍ଥ କେବେ ପ୍ରଦାନ ହେବ, ସେନେଇ ସମ୍ପୃକ୍ତ ବିଭାଗଗୁଡ଼ିକର ସ୍ପଷ୍ଟ ସୂଚନା ଅପେକ୍ଷାରେ ରହିଛି।

Comments (0)
Add Comment