ଗଭୀର ଅବପାତ ଆଶଙ୍କାରେ ହିଞ୍ଜିଳିକାଟୁ ପ୍ରଶାସନ ସଜାଗ, ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ବିଡିଓ ଓ ତହସିଲଦାର ।

ହିଞ୍ଜିଳିକାଟୁ, ୨୨/୦୯(ପିପିଟି ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଗାମୀ ସମୟରେ ଗଭୀର ଅବପାତର ରୂପ ନେବା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ସମ୍ଭାବ୍ୟ ବର୍ଷା, ଜଳବନ୍ଦୀ ଓ ଅନ୍ୟାନ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଞ୍ଜିଳିକାଟୁ ବିଡିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଓ ତହସିଲଦାର ତପନ କୁମାର ମହାପାତ୍ର ଅଞ୍ଚଳର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍‌ ସଂଯୋଗ, ଆଲୋକ ବ୍ୟବସ୍ଥା, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ ଅଛି କି ନାହିଁ, ତାହା ଅଧିକାରୀମାନେ ଯାଞ୍ଚ କରିଥିଲେ। ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ତଳିଆ ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସ୍ଥଳେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା ଯୋଗାଇବା ଏବଂ ଜରୁରୀକାଳୀନ ସେବାକୁ ସୁଦୃଢ଼ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।ବଙ୍ଗୋପସାଗରରେ ଥିବା ଅବପାତ ପ୍ରଭାବରେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ୨୩ ଓ ୨୪ ସେପ୍ଟେମ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଜିଲ୍ଲା ପ୍ରଶାସନ ସତର୍କତା ଅବଲମ୍ବନ କରିଛି। ବର୍ଷା ଓ ପବନର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ କୌଣସି ସ୍ଥାନରେ ଜଳବନ୍ଦୀ, ଗଛ ଉପୁଡ଼ିବା, ରାସ୍ତାରେ ଯାତାୟାତ ବାଧା କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଲେ ତୁରନ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସଜାଗ ରଖାଯାଇଛି। ଏପଟେ, ପ୍ରବଳ ବର୍ଷା ଆଶଙ୍କାରେ ଗଞ୍ଜାମ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭାଗଗୁଡ଼ିକୁ ୨୩ ସେପ୍ଟେମ୍ବରରେ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ଆଦେଶ ଜାରି ହୋଇଛି। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଲୋକେ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ତଳିଆ, ଜଳମଗ୍ନ ଓ ବିପଦସଙ୍କୁଳ ଅଞ୍ଚଳକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ହିଞ୍ଜିଳିକାଟୁ ପ୍ରଶାସନ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି।

ରିପୋର୍ଟ – ଅଜିତ କୁମାର ପଟ୍ଟନାୟକ

Comments (0)
Add Comment