ଯାଜପୁର ,୨୧/୦୭(ପିପିଟି): ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂସ ଗ୍ରାମ ପଞ୍ଚାୟତର ହାତୀହୁଡି ଏବଂ କମର୍ଦା ମୁଣ୍ଡାସାହି ଅଞ୍ଚଳ ରେ ଟାଟା କମ୍ପାନୀ ପକ୍ଷରୁ ଚାଲିଥିବା ଖଣି ଖନନ( କମର୍ଦ୍ଦା ଏବଂ ସାରୁଆବିଲ ଦୈତ ଖଣି) କାର୍ଯ୍ୟକଳାପ ଫଳରେ କମର୍ଦ୍ଦା ମୁଣ୍ଡାସାହି ଏବଂ ହାତୀହୁଡି ଗ୍ରାମର ଅଧିବାସୀ ମାନେ ଦୀର୍ଘ ଦିନ ଧରି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ। ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଜି ସେ ଲେଖିଥିବା ଚିଠି ରେ ଜଣେଇଛନ୍ତି ଯେ ଖଣି ଅଂଚଳରେ ନିୟମିତ ଏବଂ ଅନିୟନ୍ତ୍ରିତ ବ୍ଲାଷ୍ଟିଙ୍ଗ କାରଣରୁ ଗ୍ରାମବାସୀଙ୍କ ଘର ଗୁଡିକରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଏଥିରୁ ଛାତ ଘର ମଧ୍ଯ ରକ୍ଷା ପାଇ ପାରୁନାହିଁ । ଅନେକ ଘର ବସବାସ ପାଇଁ ଅସୁରକ୍ଷିତ ହୋଇ ପଡିଥିବାରୁ ଗ୍ରାମବାସୀ ଭୟ ଏବଂ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି । ଯେକୌଣସି ସମୟରେ ବଡ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ଦେଖା ଦେଇଛି ।
ଅପରପକ୍ଷରେ, ଖଣିର ଡମ୍ପି ୟାର୍ଡ ରୁ ନିର୍ଗତ କ୍ରୋମାଇଟ ମିଶ୍ରିତ ବର୍ଜ୍ୟ ଜଳ ନିକଟସ୍ଥ ଚାଷଜମି, ନାଳ ଓ ପୋଖରୀରେ ମିଶୁ ଥିବାରୁ ଚାଷ ଜମିର ଉର୍ବରତା ହ୍ରାସ ପାଉଛି, ଫସଲ ନଷ୍ଟ ହେଉଛି ଏବଂ ଜଳ ପ୍ରଦୂଷଣ ଗୁରୁତର ଆକାର ଧାରଣ କରିଛି । ଏହାର ପ୍ରଭାବରେ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ, ଶ୍ଵାସକ୍ରିୟା, ବୃକକ ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ ହେଉଛନ୍ତି ।
ଦୁଃଖର ବିଷୟ ଯେ, କମ୍ପାନୀ ପକ୍ଷରୁ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଆବଶ୍ୟକୀୟ ଦାୟିତ୍ଵ ପାଳନ କରାଯାଉନାହିଁ । ଫଳ ସ୍ୱରୂପ କମ୍ପାନୀ ବ୍ୟାପକ ଆର୍ଥିକ ଲାଭ ଅର୍ଜନ କରୁଥିବାବେଳେ ସ୍ଥାନୀୟ ଲୋକମାନେ ନିଜ ଜୀବନ, ଜୀବିକା, ସ୍ଵାସ୍ଥ୍ୟ ଓ ସମ୍ପତ୍ତି ର କ୍ଷତି ସହୁଛନ୍ତି । ଏହି ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣ ଓ ଲୋକପ୍ରତିନିଧି ବାରମ୍ବାର ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ତେଣୁ, ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଇ, ଅନିୟନ୍ତ୍ରିତ ବ୍ଲାଷ୍ଟିଂ ଓ ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ନିରୀହ ଆଦିବାସୀ ଜନସାଧାରଣଙ୍କ ଜୀବନ, ଜୀବିକା, ସ୍ଵାସ୍ଥ୍ୟ, ସୁରକ୍ଷା ଓ ପରିବେଶର ଉନ୍ନତି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରୀତି ରଞ୍ଜନ ତାଙ୍କ ପତ୍ର ରେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ।