କି ସୁନ୍ଦର ଦିଶେ ଧରଣୀ ରାଣୀ
ସବୁଜିମା ଚିତ୍ର ଦେଇଛି ଟାଣି…..!!
ଆକାଶରେ ଭାସେ ମେଘ ଧବଳ
ବରଷଇ ବାରି ହୋଇ ପ୍ରବଳ…..!!
ଶଇଳ ଶିଖରୁ ଝରେ ଝରଣା
କଳ କଳ ନାଦେ ଛାଡେ ମୁର୍ଛନା….!!
ନଈ ନାଳ ଜଳେ ପ୍ରଖର ସ୍ରୋତ
ମୀନ ଖେଳୁଅଛି ହୋଇ ଉନ୍ମତ୍ତ….!!
ବକ ଚାହିଁ ଅଛି ଏକ ଧ୍ୟାନରେ
ମୀନ କୁ ଧରିବ ତୀକ୍ଷ୍ଣ ଚଞ୍ଚୁରେ….!!
ଧୀବର ଧରିଛି ମଙ୍ଗ ସଳଖି
ନାବ ବାହୁଅଛି ଭଉଁରୀ ଦେଖି….!!
ଜଳର ଭଉଁରୀ ବଡ ବିପଦ
ଲିଭାଏ କ୍ଷଣିକେ ଜୀବନ – ଦୀପ….!!
ଅନନ୍ତ ଗଗନ କେଡେ ସୁନ୍ଦର
ସୂର୍ଯ୍ୟ ରଶ୍ମି ପଡି ଝଲସେ ନୀର…!!
ନଈ ପଠା ଭରା କାଶତଣ୍ଡିରେ
ଦର୍ଶନେ ବିଷାଦ ଯାଏ ଘୂଞ୍ଚିରେ…!!
ଦୂରୁ ଶୋଭାବନ ବିହଙ୍ଗ କୁଳ
ରାବନ୍ତି ସମୂହେ ହେଲେ ସକାଳ….!!
ସୂର୍ଯ୍ୟ ଉଇଁ ଗଲେ ନୀଡ଼କୁ ପକ୍ଷୀ….
ଚିହ୍ନି ବୃକ୍ଷ ଡାଳେ ବସନ୍ତି ଦେଖି….!!
ସବୁଜ ସୁନ୍ଦର ପର୍ବତ ମାଳ
କବି ଭାବୁକଙ୍କୁ କରେ ବିହ୍ବଳ….!!
କେଦାରେ କେଦାରେ ଧାନ ଫସଲ
ଦେଖି କୃଷକଙ୍କ ହୃଦ କଲ୍ଲୋଳ…..!!
ଆନନ୍ଦର ସୀମା ଅବର୍ଣ୍ଣନୀୟ
ପଲ୍ଲୀ ପ୍ରାଣ ମନ ଅମୃତ ମୟ…..!!
ସରଳ ଜୀବନ ନିଷ୍ପାପ ହୃଦ
ବର୍ଣ୍ଣିବାକୁ କୀର୍ତ୍ତି ନାହିଁ ଟି ଶବ୍ଦ…!!
ତଡାଗରେ ଫୁଟେ ନୀଳ କୁମୁଦ….
ଜହ୍ନ କଇଁ ପ୍ରୀତି ଭାରି ପ୍ରମୋଦ….!!
ନାନା ସୁମନରେ ବିକଶେ ଲତା…
କଳ୍ପନା ନୁହେଁ ଏ ବାସ୍ତବ ବାର୍ତ୍ତା….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)