ଅନ୍ନ ଦାନ ମହାପୁଣ୍ଯ ।

ଯେତେ ଦାନ ଅଛି ସବୁ ଠାରୁ ବଡ
ଅଟଇ ଯେ ଅନ୍ନ ଦାନ……
ଭୋକିଲା ପେଟକୁ ଭାତ ମୁଠେ ଦେଲେ
ଅମୃତ ନୁହେଁ ସମାନ…..!!
ଅନ୍ନ ମୁଠିକରେ ଏ ପିଣ୍ଡ ଜୀବିତ
କିବା ଲୋଡା ହୀରା ମୋତି….
ସୁନା ରୂପା ଦାନ ଅଟେ ଅଳଙ୍କାର
ଆଭୂଷଣେ ଝଟେ କାନ୍ତି….!!
ଅନ୍ନ ପାଇଁ ବର୍ଣ୍ଣ ଅଙ୍ଗର ସୁଷମା
ଆରୋଗ୍ୟ ରଖେ ଶରୀର….
ଅନ୍ନ ବିନା ବଳ ବୀର୍ଯ୍ୟ ନାଶ ଯାଏ
ନିଷ୍କ୍ରିୟ ତନୁ ଆବର….!!
ବିବାହ ଉତ୍ସବେ ପର୍ବପର୍ବାଣୀରେ
ଅବା ମନ୍ଦିର ମଧ୍ୟରେ….
ଅନ୍ନକୁ ପ୍ରାଧାନ୍ୟ ଦିଅନ୍ତି ସଭିଏଁ
ଅନ୍ନ କ୍ଷୁଧା ଶାନ୍ତି କରେ….!!
ଅନ୍ନ ଦାନ କଲେ ମିଳଇ ଆନନ୍ଦ
ଅନ୍ନ ଅଟେ ମହାପୁଣ୍ଯ….
ଅତିଥି ହେଉକି ହେଉ ପଥଚାରୀ
ଦାନ କର ମୁଠେ ଅନ୍ନ…..!!
ଅନ୍ନ ଭୁଞ୍ଜି ଯେଉଁ ମିଳିବ କଲ୍ୟାଣ
କୋଟି କୋଟି ପୁଣ୍ୟ ଫଳ….
ନର ନାରାୟଣ ସେବା ଯେ କରିବ
ବଢିବ ଧର୍ମର ବଳ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି)

Comments (0)
Add Comment