ଭୁବନେଶ୍ବର,୦୫/୦୭(ପିପିଟି):କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କଫି ବ୍ରେକ୍’ର ତୃତୀୟ ସଂସ୍କରଣ ସ୍ଥାନୀୟ ଷ୍ଟୁଡିଓ ଏନ୍ ଆର୍ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ଵ ସାହିତ୍ୟପ୍ରେମୀ ଯୋଗ ଦେଇ ଓଡିଆ କବିତା, ଗପ, ଗୀତକୁ ଉପଭୋଗ କରିଥିଲେ । ଏହି ଅବସରରେ ସୁଖ୍ୟାତ ଲେଖକ ଦେବବ୍ରତ ଦାସଙ୍କ ଉପନ୍ୟାସ ‘ତୁଷ’ ଏବଂ ନିହାର ରଞ୍ଜନ ପରିଡ଼ାଙ୍କ ଉପନ୍ୟାସ ‘ରେନକୋଟ୍’ର ତୃତୀୟ ସଂସ୍କରଣ ଲୋକାର୍ପଣ ହୋଇଥିଲା । ପ୍ରାୟ ପଚିଶରୁ ଉର୍ଦ୍ଧ୍ଵ ଯୁବପିଢ଼ି ନିଜର କବିତା, ଗଳ୍ପ ଏବଂ ସଙ୍ଗୀତ ନିଆରା ଶୈଳୀରେ ପରିବେଷଣ କରିଥିଲେ । ଦର୍ଶକମାନେ ଟିକେଟ୍ କାଟି ଓଡ଼ିଆ କବିତା ଶୁଣିବାକୁ ଆସିବା ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଯୁବ କବି ଏବଂ ଗାଳ୍ପିକଙ୍କ ନୂଆ ବହି ସବୁକୁ ବଡ଼ ଆଗ୍ରହରେ ସମସ୍ତେ କିଣିବା ସହ ସେମାନଙ୍କର ଦସ୍ତଖତ ନେଇଥିଲେ । ଯୁବପିଢ଼ିକୁ ଓଡ଼ିଆ ଭାଷାସାହିତ୍ୟ ଏବଂ ସଙ୍ଗୀତ ସହ ଯୋଡ଼ି ରଖିବାରେ କଳିଙ୍ଗ ଭାଷା ମୁକ୍ତମଞ୍ଚର ଏପରି ପ୍ରୟାସର ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।
ସୂଚନଯୋଗ୍ୟ ଯେ, କଳିଙ୍ଗ ଭାଷା ମୁକ୍ତମଞ୍ଚ ବିଗତ ଛ ବର୍ଷ ଧରି ଓଡ଼ିଆ ଭାଷାରେ ଏପରି ମୁକ୍ତମଞ୍ଚ (ଓପନ୍ ମାଇକ୍) କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରତିଭାବାନ୍ ଯୁବକଯୁବତୀ ଏହା ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରି ପରିଚୟ ସୃଷ୍ଟି କରିପାରିଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ସବୁ କବିତା, ସଙ୍ଗୀତ ଖୁବ୍ ଲୋକପ୍ରିୟ ମଧ୍ଯ ହୋଇଛି । କାର୍ଯ୍ୟକ୍ରମରେ ତରୁଣ ପିଢ଼ିର ପ୍ରତିଭାବାନ୍ କବି ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ଉପସ୍ଥାପନ କରିଥିଲା ବେଳେ କଳିଙ୍ଗ ଭାଷା ମୁକ୍ତମଞ୍ଚର ଆବାହକ ସତ୍ୟ ଶିବ ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଅଂଶୁମାନ ସାହୁ, ଜ୍ୟୋତି ରଞ୍ଜନ ବାରିକ, ସୁମିତ୍ ପଣ୍ଡା, ବିଶ୍ଵକସେନ୍ ଦାଶ ପ୍ରମୁଖ ସହଯୋଗ କରିଥିଲେ ।