ବେଗୁନିଆପଡା,୧୩/୧୦(ପିପିଟି):ବିଜେଡି ସେବା ଓ ବିକାଶରେ ବିଶ୍ୱାସ କରେ । ୨୪ ବର୍ଷରେ ବିଜେଡି ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟ କରିଥିଲା । କିନ୍ତୁ ଡବଲ ଇଞ୍ଜିନ ସରକାର ଗତ ଅଢେଇ ବର୍ଷରେ ଓଡିଶାର ଛବିକୁ ମଳିନ କରିସାରିଲେଣି । ବିଜେପି ସରକାରର ବିଫଳତା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ବିଜେଡିର ସଂଗଠନ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନ ସଂପର୍କ ପଦଯାତ୍ରା । ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ଓ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁଙ୍କ ନେତୃତ୍ବରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବେଗୁନିଆପଡ଼ା ସ୍ଥିତ ସିଦ୍ଧେଶ୍ଵର ମନ୍ଦିର ପରିସରରୁ ବାହାରି ବେଗୁନିଆପଡ଼ା ବଜାର ଦେଇ ଖଣ୍ଡିଆନଈ ପଞ୍ଚାୟତ, କେ ବରିଡ଼ା ପଞ୍ଚାୟତ, ଏସ୍ ଛଚିନା ପଞ୍ଚାୟତ, ଚନ୍ଦନପୁର ପଞ୍ଚାୟତ, ଚିଙ୍ଗୁଡ଼ିଖୋଲ ଓ ମର୍ଦ୍ଦକୋଟ ସମସ୍ତ ୪୫ ନମ୍ବର ଜୋନର ପଞ୍ଚାୟତ ଗୁଡିକ ର ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ନେତା ଓ କର୍ମୀମାନେ ସାମିଲ ହୋଇ ବିଜେପି ସରକାରର ବିଫଳତାକୁ ନେଇ ବର୍ଷିବା ସହ ନବୀନ ସରକାରଙ୍କ ପୂର୍ବ ଯୋଜନା ଗୁଡିକ ସଂପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଅପାରଗ ଡବଲ ଇଞ୍ଜିନ ସରକାରରେ ଅଢେଇ ବର୍ଷରେ ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଥିବା ବେଳେ ପଦଯାତ୍ରା ସମୟରେ ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ରହିଥିବା କହିଛନ୍ତି ବିଜେଡି ନେତ୍ରୀ ତଥା ରାଜ୍ୟ ବିଜେଡ଼ି ମୁଖପାତ୍ର ରଞ୍ଜିତା ସାହୁ। ସେହିପରି ଲୋକ ହେଉଛନ୍ତି ଆମର ବଳ, ସାଧାରଣ ଲୋକ ନବୀନ ବାବୁଙ୍କ ନୀତି ଆଦର୍ଶ ସହ ଅଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ହରପ୍ରସାଦ ସାହୁ। ଏହି ଅବସରରେ ଶତାଧିକ ମୋଟର ସାଇକେଲ ଏହି ଶୋଭାଯାତ୍ରାରେ ପରିକ୍ରମା କରିଥିବା ଦେଖିବାକୁ ମିଳିଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ