‘ଏସ୍.ଆଇ.ଆର୍.’ ନେଇ ଗଞ୍ଜାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ; ଫର୍ମ ବାଣ୍ଟିଲେ ଜିଲ୍ଲାପାଳ।

ଛତ୍ରପୁର,୩୦/୦୫(ପିପିଟି):ଗଞ୍ଜାମ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବି ଏଲ ଓ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ ବାସଭବନକୁ ଯାଇ ପରିଗଣନା ଫର୍ମ ପ୍ରଦାନ କରିଥିଲେ। ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ଛତ୍ରପୁର ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଗଣନା ଫର୍ମ ବଣ୍ଟନ ପୂର୍ବକ ବି ଏଲ ଓ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।

ଜିଲ୍ଲାପାଳ ଏସ ଆଇ ଆର ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ,ଆଜିଠାରୁ ଆରମ୍ଭ ହୋଇଥିବା ଜିଲ୍ଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଏହି ଅଭିଯାନରେ ବୁଥ୍ ସ୍ତରୀୟ ଅଧିକାରୀ (ବି ଏଲ ଓ ) ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରମାନଙ୍କୁ ଏନୁମେରେସନ୍ ବା ପରିଗଣନା ଫର୍ମ ବାଣ୍ଟିବେ। ଏହି ଫର୍ମରେ ଭୋଟରଙ୍କ ପୁରୁଣା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍ ଲଗାଇବା ପାଇଁ ସ୍ଥାନ ରହିଛି। ଭୋଟରମାନେ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ସଠିକ୍ ବିବରଣୀ ଯେପରିକି- ଜନ୍ମ ତାରିଖ, ଆଧାର ନମ୍ବର, ମୋବାଇଲ୍ ନମ୍ବର ଏବଂ ଏପିକ୍ (EPIC) ନମ୍ବର ଆଦି ପୂରଣ କରିବେ। କୌଣସି ସନ୍ଦେହ ଉପୁଜିଲେ, ଫର୍ମରେ ଉଲ୍ଲେଖ ଥିବା ବିଏଲ୍ଓଙ୍କ ମୋବାଇଲ୍ ନମ୍ବରରେ ଲୋକେ ସିଧାସଳଖ ଯୋଗାଯୋଗ କରିପାରିବେ।

ଫର୍ମ ବାଣ୍ଟିବାର କିଛି ଦିନ ପରେ ବିଏଲ୍ଓମାନେ ପୁଣିଥରେ ଘରକୁ ଆସି ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସଂଗ୍ରହ କରିବେ। ଏଥିସହିତ ସେମାନେ ଦୁଇଟି ଫର୍ମରୁ ଗୋଟିଏ ନିଜ ସହ ନେବେ ଏବଂ ନାଗରିକମାନଙ୍କୁ ପ୍ରମାଣ ସ୍ୱରୂପ ଅନ୍ୟ ଫର୍ମ ଦସ୍ତଖତ କରି ପ୍ରଦାନ କରିବେ।

ଭୋଟର ତାଲିକାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଏବଂ ଅଯୋଗ୍ୟଙ୍କ ନାମ ହଟାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଯେଉଁମାନେ ବାହାରେ ରହୁଛନ୍ତି କିମ୍ବା ଅଫଲାଇନରେ ଫର୍ମ ପୂରଣ କରିପାରିବେ ନାହିଁ, ସେମାନେ (voters.eci.gov.in) ଜରିଆରେ ଅନଲାଇନ୍ ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ, ଯାହାକୁ ପରେ ବିଏଲ୍ଓ ଏବଂ ଇଆରଓ ଯାଞ୍ଚ କରିବେ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ବିଏଲ୍ଓ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Comments (0)
Add Comment