ଆଠଗଡ,୨୨/୦୫ ତିଗିରିଆର ପାଞ୍ଚଗାଁ ଠାରେ ପୁଲିସ ଉପସ୍ଥିତିରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି । ସକାଳ ପ୍ରାୟ ୧୧ଟା ବେଳେ ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ପାଞ୍ଚଗାଁ ହନୁମାନ ମନ୍ଦିର ଛକ ନିକଟରେ ମୁଖ୍ଯ ରାସ୍ତା ଉପରେ କେତେକ ଦୁର୍ବୃତ୍ତ ବିଧାୟକଙ୍କୁ ବିରୋଧ କରି ତାଙ୍କ ଗାଡି ଉପରକୁ ଅଣ୍ଡା ଓ ଏସିଡ ବୋତଲ ଫୋପାଡିଥିବା ଅଭିଯୋଗ ହୋଇଛି । ହେଲେ ବିଧାୟକଙ୍କ ଗାଡିରେ ସେସବୁ ବାଜିନଥିବା ଏବଂ ବିଧାୟକଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଫୋପଡା ଯାଇଥିବା ବୋତଲରେ ଏସିଡ ଥିଲା କି ଆଉ କିଛି ତରଳ ପଦାର୍ଥ ଥିଲା ତାହା ଜଣାପଡିନାହିଁ । ରାଜ୍ଯ ଆଇନଶୃଙ୍ଖଳା ଭୁଷୁଡିତାଇଛି ଏବଂ ନିଜର ସାମ୍ବିଧାନିକ କର୍ତ୍ତବ୍ଯ ସମ୍ପାଦନ କରିବାକୁ ଯାଉଥିବା ବିଧାୟକଙ୍କୁ ଜୀବନରେ ମାରିଦେବାକୁ ଏଭଳି ଆକ୍ରମଣ କରାଯାଇଥିବା ତିଗିରିଆ ଓ ଆଠଗଡ ବିଜେଡି ନେତା ଅଭିଯୋଗ କରିଛନ୍ତି । ବିଧାୟକଙ୍କ ସହିତ ଥିବା ବିଜେଡି ଦଳର କର୍ମୀଙ୍କ ସହିତ ସଂପୃକ୍ତ ଗଣ୍ଡଗୋଳକାରୀଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ଆଠଗଡ ଏସଡିପିଓ ଓ ତିଗିରିଆ ଥାନା ଆଇଆଇସି ଅନ୍ଯ ପୁଲିସ କର୍ମଚାରୀ ପରିସ୍ଥିତିକୁ ଆୟତ୍ତ କରିବା ସହିତ ବିଧାୟକଙ୍କ ଗାଡିକୁ ନିକଟସ୍ଥ ବ୍ଲକ କାର୍ଯ୍ୟାଳୟକୁ ନେଇଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ ସମର୍ଥକ ବିଜେଡି କର୍ମୀମାନେ ପୁଲିସ ସହ ଯୁକ୍ତିତର୍କ ଓ ମୁହାଁମୁହିଁ ହେବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏସଡିପିଓ ବିଶ୍ବଜିତ ମହାନ୍ତି ଓ ତିଗିରିଆ ଆଇଆଇସି ସେମାନଙ୍କୁ ବୁଝାଶୁଝା କରି ଶାନ୍ତ କରାଇଥିଲେ । ଏଭଳି କାଣ୍ଡ ଭିଆଇଥିବା ଦୁର୍ବୃତ୍ତମାନେ ବିଜେପି ନେତା ଅଭୟ ବାରିକଙ୍କ ସମର୍ଥକ ବୋଲି ତିଗିରିଆ ବିଜେଡି ପକ୍ଷରୁ ଅଭିଯୋଗ ହେଉଛି । ପୂର୍ବରୁ ଗତ ୨୦୨୫ ମସିହାରେ ମଧ୍ଯ ତିଗିରିଆ ଓ ଆଠଗଡ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଗଲାବେଳେ ବିଜେପି ନେତା ଅଭୟ ବାରିକଙ୍କ ସମର୍ଥକ ବିଧାୟକ ଶ୍ରୀ ସ୍ଵାଇଁଙ୍କୁ ବିରୋଧ କରିବା ସହ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ ।
ହେଲେ ବିଧାୟକ ଆସିବା ପୂର୍ବରୁ ଗଣ୍ଡଗୋଳ ଘଟାଇବାକୁ ଏକତ୍ରିତ ହୋଇଥିବା ବିରୋଧୀଙ୍କୁ ପୁଲିସ କାହିଁକି ଘଉଡାଇବାକୁ ବା ଅଟକ ରଖିବା ଲାଗି ପଦକ୍ଷେପ ନେଲାନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପଞ୍ଚାୟତ ସମିତି ବୈଠକ ପରେ ପୁଲିସ ସୁରକ୍ଷା ମଧ୍ଯରେ ବିଧାୟକ ଶ୍ରୀ ସ୍ଵାଇଁ ଫେରିଥିଲେ । ବିଧାୟକଙ୍କୁ ବିରୋଧ କରି ଅଣ୍ଡା ଓ ଏସିଡ୍ ବୋତଲ ଫୋପାଡିଥିବା ଲୋକମାନେ ବିଜେପି ପତାକା ବା ବ୍ୟାନର ଧରିନଥିଲେ ମଧ୍ଯ ସେମାନେ ବିଜେପି ନେତା ଅଭୟ କୁମାର ବାରିକଙ୍କ ସମର୍ଥକ ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଚିନ୍ମୟ କୁମାର ସାହୁ ନାମକ ଜଣେ ବିଜେଡି କର୍ମୀ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଏତଲାରେ ସେ ବିଧାୟକଙ୍କୁ ଓ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥିବା କେତେକ ଗଣ୍ଡଗୋଳକାରୀଙ୍କ ନାମ ମଧ୍ଯ ଉଲ୍ଲେଖ କରିଛନ୍ତି । ଏହି ଘଟଣା ପରେ ତିଗିରିଆରେ ଶାସକ ବିଜେପି ଓ ବିରୋଧି ବିଜେଡି ଦଳର କର୍ମୀଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଛି।