୧୭ ବର୍ଷର ଆଇନଗତ ଲଢ଼େଇ ପରେ ଖାଉଟିଙ୍କୁ ମିଳିଲା ନ୍ୟାୟ; ବୀମା କମ୍ପାନୀ ଉପରେ ଜରିମାନା ସହ ବୀମା ରାଶି ପ୍ରଦାନ କରିବାକୁ ଗଞ୍ଜାମ ଖାଉଟି ଆୟୋଗଙ୍କ ନିର୍ଦ୍ଦେଶ ।

0 3

ବ୍ରହ୍ମପୁର,୨୬/୧୧(ପିପିଟି): ଘରୋଇ ଦୁର୍ଘଟଣାରେ ଆଖି ହରାଇଥିବା ଜଣେ ଗରିବ ଗ୍ରାମବାସୀଙ୍କୁ ଦୀର୍ଘ ୧୯ ବର୍ଷର ସଂଘର୍ଷ ପରେ ନ୍ୟାୟ ମିଳିଛି । ଏଫ୍.ଆଇ.ଆର୍ (FIR) ନଥିବା ଏବଂ ୩ ବର୍ଷ ପରେ ପୁନଃ-ମୂଲ୍ୟାୟନ ପ୍ରମାଣପତ୍ର ଦାଖଲ ହୋଇନଥିବା ଭଳି ଅଯଥା ଆଳ ଦେଖାଇ ବୀମା ରାଶି ଅଟକାଇ ରଖିଥିବା ‘ବଜାଜ ଆଲିଆଞ୍ଜ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ’ ବିରୋଧରେ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (ବ୍ରହ୍ମପୁର) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଘଟଣାର ପୃଷ୍ଠଭୂମି: ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆ ତନରଡ଼ା ଗ୍ରାମର ଶ୍ରୀନିବାସ ପ୍ରଧାନ ‘ଗୋଲ୍ଡେନ୍ ଟ୍ରଷ୍ଟ ଫାଇନାନ୍ସିଆଲ୍ ସର୍ଭିସେସ୍’ (GTFS) ମାଧ୍ୟମରେ ବଜାଜ ଆଲିଆଞ୍ଜ କମ୍ପାନୀରୁ ୩ ଲକ୍ଷ ଟଙ୍କାର ଏକ ଗ୍ରୁପ୍ ପର୍ସନାଲ ଆକ୍ସିଡେଣ୍ଟ (GPA) ବୀମା କରିଥିଲେ। ଗତ ୩ ଜାନୁଆରୀ ୨୦୦୭ ସନ୍ଧ୍ୟାରେ ଘରେ ରୋଷେଇ ପାଇଁ ଜାଳେଣି କାଠ କାଢ଼ୁଥିବା ବେଳେ ଏକ କାଠ ଖଣ୍ଡ ଛିଟିକି ତାଙ୍କ ବାମ ଆଖିରେ ଜୋରରେ ବାଜିଥିଲା । ବ୍ରହ୍ମପୁର ବଡ଼ ମେଡିକାଲର ଚକ୍ଷୁ ବିଭାଗ ର ଚିକିତ୍ସା ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲା ମେଡିକାଲ ବୋର୍ଡର ପ୍ରମାଣପତ୍ର ଅନୁଯାୟୀ, ତାଙ୍କର ବାମ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଓ ସ୍ଥାୟୀ ଭାବେ ନଷ୍ଟ ହୋଇଯାଇଥିବା ସ୍ପଷ୍ଟ ହୋଇଥିଲା ।

ବୀମା କମ୍ପାନୀର ଅବହେଳା ଓ ଆଇନଗତ ଲଢ଼େଇ: ବୀମା କମ୍ପାନୀ ନିଜସ୍ୱ ତଦନ୍ତକାରୀ ନିଯୁକ୍ତ କରି ଦୁର୍ଘଟଣା ଓ ଆଖି ନଷ୍ଟ ହେବା ଘଟଣା ସତ୍ୟ ବୋଲି ରିପୋର୍ଟ ପାଇବା ସତ୍ତ୍ୱେ, ଥାନାରେ ଏଫ୍.ଆଇ.ଆର୍ ହୋଇନଥିବା ଏବଂ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ୩ ବର୍ଷ ପରେ ପୁନଃ-ମୂଲ୍ୟାୟନ (Re-assessment) ଲେଖାଥିବା ଦର୍ଶାଇ କ୍ଲେମ୍ ରାଶି ଦେବାକୁ ମନା କରିଦେଇଥିଲା। ଏନେଇ ଶ୍ରୀନିବାସ ୨୦୦୯ ମସିହାରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ ଓ ରାୟ, ଆୟୋଗର ଭାରପ୍ରାପ୍ତ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ସଦସ୍ୟା ସରିତ୍ରୀ ପଟ୍ଟନାୟକ ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ଘର ଭିତରେ ରୋଷେଇ କାଠ କାଢ଼ିବା ବେଳେ ହୋଇଥିବା ଏକ ସାଧାରଣ ଦୁର୍ଘଟଣା ପାଇଁ ପୋଲିସ ଏଫ୍.ଆଇ.ଆର୍ (FIR) ଦାବି କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ। ସେହିପରି ବୀମା କମ୍ପାନୀର ନିଜସ୍ୱ ତଦନ୍ତ ରିପୋର୍ଟକୁ ଲୁଚାଇ ରଖି ଗ୍ରାହକଙ୍କୁ ୧୯ ବର୍ଷ ଧରି ହଇରାଣ କରିବା ସେବାରେ ଘୋର ତ୍ରୁଟି ଓ ଅନୈତିକ ବାଣିଜ୍ୟିକ ପ୍ରଥା (Unfair Trade Practice) ଅଟେ।
ଗତ ୯ ନଭେମ୍ବର ୨୦୨୬ରେ ପ୍ରକାଶିତ ଚୂଡ଼ାନ୍ତ ରାୟରେ ଆୟୋଗ ବଜାଜ ଆଲିଆଞ୍ଜ କମ୍ପାନୀକୁ ନିମ୍ନଲିଖିତ ନିର୍ଦ୍ଦେଶ ଦେଇଛନ୍ତି ।

ବୀମା ରାଶି ଓ ସୁଧ: ବୀମା ସର୍ତ୍ତାବଳୀ ଅନୁଯାୟୀ ଗୋଟିଏ ଆଖି ନଷ୍ଟ ପାଇଁ ସମୁଦାୟ ବୀମା ରାଶିର ୫୦ ପ୍ରତିଶତ ଅର୍ଥାତ୍ ୧,୫୦,୦୦୦ ଟଙ୍କା ପ୍ରଦାନ କରିବେ। ଏହା ସହିତ ମାମଲା ଦାୟର ତାରିଖ (୦୮.୧୦.୨୦୦୮) ଠାରୁ ଟଙ୍କା ପୈଠ ହେବା ପର୍ଯ୍ୟନ୍ତ ବାର୍ଷିକ ୯ ପ୍ରତିଶତ ସରଳ ସୁଧ ଦେବାକୁ ପଡ଼ିବ ।

ମାନସିକ ନିର୍ଯାତନା ଓ ମକଦ୍ଦମା ଖର୍ଚ୍ଚ: ଦୀର୍ଘ ବର୍ଷର ମାନସିକ ନିର୍ଯାତନା ପାଇଁ ୩୦,୦୦୦ ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ପ୍ରଦାନ କରିବେ ।

ଖିଲାପ କଲେ ଅଧିକ ସୁଧ, ଆଦେଶ ପାଇବାର ୪୫ ଦିନ ମଧ୍ୟରେ ଏହି ସମସ୍ତ ଅର୍ଥ ପୈଠ ନକଲେ, ସମୁଦାୟ ରାଶି ଉପରେ ବାର୍ଷିକ ୧୨ ପ୍ରତିଶତ ଦଣ୍ଡମୂଳକ ସୁଧ (Penal Interest) ଦେବାକୁ ପଡ଼ିବ ଏବଂ କମ୍ପାନୀ ବିରୋଧରେ ଖାଉଟି ସୁରକ୍ଷା ଆଇନର ଧାରା ୭୧ ଓ ୭୨ ଅନୁଯାୟୀ ଗ୍ରାହାକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

Leave A Reply

Your email address will not be published.