କୋଦଳା, ୨୫/୧୧(ପିପିଟି): ଜାତୀୟ ଶିଶୁ ଦିବସ ଅବସରରେ କୋଦଳାସ୍ଥିତ ପିଏମ୍ ଶ୍ରୀ ସ୍ୱର୍ଣ୍ଣମୟୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ସୁରକ୍ଷା ଓ ନିଶାମୁକ୍ତି ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ “ତାଲୁକ ଆଇନ ସେବା କମିଟି” ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ବଭାରତୀୟ ବିଦ୍ୟାଳୟ ସଚେତନତା ଅଭିଯାନ “ସୁରକ୍ଷିତ ବଚ୍ଚପନ ଅଭିଯାନ” ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ଙ୍କ Drug Awareness and Wellbeing Navigation (DAWN) ଅଭିଯାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ କୋଦଳାର ବରିଷ୍ଠ ସିଭିଲ୍ ଜଜ୍ ଶ୍ରୀମତୀ ରେଖାରାଣୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ। କୋଦଳାର ନ୍ୟାୟିକ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ଶ୍ରୀ ଶୋଭନ କୁମାର ପଣ୍ଡା, କୋଦଳା ଓକିଲ ସଂଘର ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ସାହୁ, ଅତିରିକ୍ତ ଜିଲ୍ଲା ଜଜ୍, କୋଦଳାଙ୍କ ନ୍ୟାୟାଳୟର ସହକାରୀ ସରକାରୀ ଓକିଲ ବ୍ରଜବନ୍ଧୁ ଦଳବେହେରା ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ବେହେରା ମଞ୍ଚାସୀନ ଥିଲେ। ଏଥିରେ ବହୁ ଆଇନଜୀବୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ବରିଷ୍ଠ ବିଚାରପତି ଶ୍ରୀମତୀ ରେଖାରାଣୀ ପଣ୍ଡା, କୋଦଳା ନିଜ ଅଧ୍ୟକ୍ଷୀୟ ଅଭିଭାଷଣରେ ଶିଶୁମାନଙ୍କ ସୁରକ୍ଷା ଓ ସମ୍ମାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପୋକ୍ସୋ ଆଇନ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ବୋଲି ଉଲ୍ଲେଖ କରିବା ସହ କୌଣସି ଅସ୍ୱାଭାବିକ ବା ଅସୁରକ୍ଷିତ ସ୍ପର୍ଶ ଓ ଆଚରଣ ସମ୍ପର୍କରେ ଭୟ ନକରି ଅଭିଭାବକ, ଶିକ୍ଷକ କିମ୍ବା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ।
ଶ୍ରୀ ଶୋଭନ କୁମାର ପଣ୍ଡା, ନ୍ୟାୟିକ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ, କୋଦଳା ନିଜ ଅଭିଭାଷଣରେ ଶିଶୁମାନଙ୍କ ଆଇନଗତ ଅଧିକାର ଓ ପୋକ୍ସୋ ଆଇନର ବିଭିନ୍ନ ସୁରକ୍ଷାମୂଳକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଶିଶୁମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ରହିବା ସହ କୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ବିଶ୍ୱସ୍ତ ବ୍ୟକ୍ତି ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ସହାୟତା ନେବା ଉଚିତ ବୋଲି କହିଥିଲେ।
ଗୋପାଳ କୃଷ୍ଣ ସାହୁ, ସମ୍ପାଦକ, କୋଦଳା ଓକିଲ ସଂଘ ନିଜ ଅଭିଭାଷଣରେ ଶିଶୁ ସୁରକ୍ଷା କେବଳ ଆଇନ ବ୍ୟବସ୍ଥାର ଦାୟିତ୍ୱ ନୁହେଁ, ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁମାନଙ୍କ ପ୍ରତି ଯେକୌଣସି ଅନ୍ୟାୟ ବା ନିର୍ଯାତନାକୁ ରୋକିବା ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।
ବ୍ରଜବନ୍ଧୁ ଦଳବେହେରା, ସହକାରୀ ସରକାରୀ ଓକିଲ, ଅତିରିକ୍ତ ଜିଲ୍ଲା ଜଜ୍ ନ୍ୟାୟାଳୟ, କୋଦଳା ନିଜ ଅଭିଭାଷଣରେ ଶିଶୁମାନଙ୍କ ପ୍ରତି ଯୌନ ଅପରାଧ ରୋକିବା ଦିଗରେ ଆଇନର ଭୂମିକା ଓ ଅଭିଯୋଗ ଦାଖଲର ଗୁରୁତ୍ୱ ବୁଝାଇଥିଲେ। ଏପରି ଅପରାଧ ସମ୍ପର୍କରେ ଜାଣିବାକୁ ପାଇଲେ ତାହାକୁ ଲୁଚାଇ ନରଖି ତୁରନ୍ତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ବେହେରା ନିଜ ଅଭିଭାଷଣରେ ଶିକ୍ଷାନୁଷ୍ଠାନରେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀମାନେ ଶିଶୁମାନଙ୍କ ଆଚରଣ ଓ ସମସ୍ୟା ପ୍ରତି ସଚେତନ ରହି ସେମାନଙ୍କୁ ଆବଶ୍ୟକ ସମୟରେ ଉପଯୁକ୍ତ ପରାମର୍ଶ ଓ ସହାୟତା ଯୋଗାଇଦେବା ଉଚିତ ବୋଲି କହିଥିଲେ।
DAWN ଅଭିଯାନ ଅନ୍ତର୍ଗତ ନିଶାଦ୍ରବ୍ୟ ସେବନର କୁପରିଣାମ, ଏହାର ଶାରୀରିକ ଓ ମାନସିକ କ୍ଷତି, ନିଶାଠାରୁ ଦୂରେଇ ରହିବା ଏବଂ ସୁସ୍ଥ ଜୀବନଶୈଳୀ ଅବଲମ୍ବନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଶିଶୁମାନେ କୌଣସି ପ୍ରକାର ନିଶାଦ୍ରବ୍ୟର ପ୍ରଲୋଭନରେ ନପଡ଼ି ନିଜର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା।
ଶେଷରେ ଶିଶୁମାନଙ୍କ ସୁରକ୍ଷା, ଆଇନଗତ ଅଧିକାରର ସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନ ପାଇଁ ନ୍ୟାୟପାଳିକା, ଶିକ୍ଷାନୁଷ୍ଠାନ, ଆଇନଜୀବୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସମାଜର ସମସ୍ତ ବର୍ଗଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।