ଛତ୍ରପୁର,୨୫/୧୧(ପିପିଟି): ଗଞ୍ଜାମ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶନ ଓ ସରକାରୀ ସହାୟତା ବଣ୍ଟନର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆଜି ଓସୱାନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ୍ରେ ଚିଠା ତାଲିକା ପ୍ରକାଶ ପାଇଥିବାରୁ ଅବଶିଷ୍ଟ କ୍ଷୟକ୍ଷତି ରିପୋର୍ଟ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ସମସ୍ତ ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
କୌଣସି ହିତାଧିକାରୀ ଏକାଧିକ ଥର ସରକାରୀ ବନ୍ୟା ସହାୟତା ପାଇଁ ଆବେଦନ ନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ । ଚିଠା ତାଲିକା ଉପରେ ଦାବି ଓ ଆପତ୍ତିର ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ ।
ବ୍ରହ୍ମପୁର ମହାନଗର ନିଗମକୁ ବାଦ୍ ଦେଇ ଅନ୍ୟ ସମସ୍ତ ବ୍ଲକ୍ ଆସନ୍ତାକାଲି ସୁଦ୍ଧା କ୍ଷୟକ୍ଷତି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ । ବ୍ୟାଙ୍କ ସହ ସମନ୍ୱୟ ରଖି ସହାୟତା ବଣ୍ଟନକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରି ଚଳିତ ମାସ ଶେଷ ସୁଦ୍ଧା ଶତପ୍ରତିଶତ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବଣ୍ଟନ ପ୍ରକ୍ରିୟାର ସମସ୍ତ କାମ ନହେଲେ ଦାୟିତ୍ୱରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ସଠିକ୍ ଓ ତ୍ୱରିତ କାର୍ଯ୍ୟ କରିଥିବା ବ୍ଲକ୍ଗୁଡ଼ିକୁ ସେ ପ୍ରଶଂସା କରିଥିଲେ ।
ବନ୍ୟାଜଳ ହ୍ରାସ ପାଇଥିବାରୁ ଯେଉଁ ଅଞ୍ଚଳରେ ସହାୟତାର ଆବଶ୍ୟକତା କମିଛି,ସେଠାରୁ ଚାଉଳ ଓ ଆର୍ଥିକ ସହାୟତାକୁ ସରକାରୀ ନୀତିନିୟମ ଅନୁପାଳନ ପୂର୍ବକ ଅଧିକ ଆବଶ୍ୟକତା ଥିବା ଅଞ୍ଚଳକୁ ପଠାଇବାକୁ ପରାମର୍ଶ ଦିଆଯାଇଥିଲା । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସହାୟତା ଓ ସହଯୋଗ ନିମନ୍ତେ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଓ ସମନ୍ୱୟ ରଖିବାକୁ ପରାମର୍ଶ ।
ଗଞ୍ଜାମ ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ରିଲିଫ୍ ଓ ଆର୍ଥିକ ସହାୟତା ବଣ୍ଟନର ଅଗ୍ରଗତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଜିଲ୍ଲାର କାର୍ଯ୍ୟକୁ ପ୍ରଶଂସା କରିଥିବା ଜଣାଇ ଜିଲ୍ଲାପାଳ କହିଥିଲେ ଯେ,କିଛି ଅଂଚଳରେ ବନ୍ୟାର ଦୀର୍ଘ ସମୟ ପରେ ମଧ୍ୟ ଗଞ୍ଜାମ ଭଳି ଅଗ୍ରଗତି ହୋଇପାରିନାହିଁ । ଦୁଇଦିନ ପୂର୍ବେ ଗଞ୍ଜାମ ଗସ୍ତ ସମୟରେ ମନ୍ତ୍ରୀ ଏହି ଅଗ୍ରଗତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଜିଲ୍ଲାର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ସଫଳତାକୁ ବଜାୟ ରଖି ଅଧିକ ପରିଶ୍ରମ ଓ ସମନ୍ୱୟର ସହ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଏପର୍ଯ୍ୟନ୍ତ ବଣ୍ଟନ ହୋଇଥିବା ସହାୟତାର ବ୍ୟାଙ୍କ ତଥ୍ୟ ସଂଗ୍ରହ କରି ବିଡିଓ ଓ ନିର୍ବାହୀ ଅଧିକାରୀମାନେ ବ୍ୟବହାରିକ ପ୍ରମାଣପତ୍ର ଦାଖଲ କରିବେ। କୃଷି କ୍ଷୟକ୍ଷତି ସମ୍ପର୍କିତ କେସ୍ ରେକର୍ଡ ମଧ୍ୟ ଯଥା ଶୀଘ୍ର ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଉପଜିଲ୍ଲାପାଳ ପ୍ରତିଦିନ ପୂର୍ବାହ୍ନରେ କ୍ଷୟକ୍ଷତି ରିପୋର୍ଟ ଓ ସହାୟତା ବଣ୍ଟନର ଅଗ୍ରଗତି ସମୀକ୍ଷା କରିବେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସଚ୍ଚିଦାନନ୍ଦ ନାୟକ, ସୁନୀଲ କେର୍କେଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ଉପଜିଲ୍ଲାପାଳ, ଆଇଏଏସ୍ ପ୍ରୋବେସନର ଏସ୍. ଶରଣ୍ୟା, ଜିଲ୍ଲା ଯୋଗାଣ ଅଧିକାରୀ, ଜରୁରୀକାଳୀନ ଅଧିକାରୀଙ୍କ ସମେତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।