ପୋଲସରା ,୨୧/୧୧(ପିପିଟି): ପୋଲସରା ସହରର ଦୁଇଟି ପୁରାତନ ଜଳାଶୟ ଓଇରାଣୀ ଓ ଖଜୁରୀ ବନ୍ଧର ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଏମ୍ଏସ୍ବିୱାଇ ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଉଭୟ ପ୍ରକଳ୍ପକୁ ସରକାରୀ ଅନୁମୋଦନ ମିଳିଥିବା ବେଳେ ମୋଟ ୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଓଇରାଣୀ ବନ୍ଧ ପାଇଁ ୫ କୋଟି ଏବଂ ଖଜୁରୀ ବନ୍ଧର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଓଇରାଣୀ ପୋଖରୀରେ ବୋଟିଂ, ପାଦଚଲା ରାସ୍ତା ଓ ଆକର୍ଷଣୀୟ ମୂର୍ତ୍ତି ସ୍ଥାପନ ସହ ଆଧୁନିକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବ। ଖଜୁରୀ ବନ୍ଧକୁ ମଧ୍ୟ ଏକ ଆକର୍ଷଣୀୟ ପର୍ଯ୍ୟଟନ ଓ ମନୋରଞ୍ଜନ ସ୍ଥଳୀ ଭାବେ ବିକଶିତ କରାଯିବ। ପ୍ରକଳ୍ପ ଅନୁମୋଦନ ପରେ ପୋଲସରା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଉଭୟ ଜଳାଶୟ ପରିଦର୍ଶନ କରି ପୌରାଧ୍ୟକ୍ଷା ସଂଗୀତା ବେହେରା ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ସହ ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ପୋଲସରାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ସହରରେ ଅଧିକ ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୋଲସରା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ନୂଆ ମନୋରଞ୍ଜନ ଓ ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି ହେବାର ଆଶା ରହିଛି। ଏହି ସମୟରେ ଅବସର ପ୍ରାପ୍ତ ବରିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ,ସହକାରୀ ଯନ୍ତ୍ରୀ ଦୀପିକା କୁମାରୀ ବେହେରା ଓ କନିଷ୍ଠ ଯନ୍ତ୍ରୀ ମୁକେଶ କୁମାର ବେହେରା, କାଉନସିଲର ସୁକାନ୍ତି ସାହୁ, କ୍ଷେତ୍ର ପରିଦର୍ଶକ ଭଗବାନ ପ୍ରଧାନ, ଅବସର ପ୍ରାପ୍ତ ବରିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ, ନଗର ସା°ସଦ ପ୍ରତିନିଧି ସୀମାଞ୍ଚଳ ସାହୁ, ନଗର ପ୍ରଭାରୀ ପ୍ରସନ୍ନ କୁମାର ଡାକୁଆ, ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ,ଯୁବ ସଂଗଠକ ଭାସ୍କର ନାୟକ ପ୍ରମୁଖଙ୍କ ସମେତ ଅନେକ ନଗରବାସିମାନେ ଉପସ୍ଥିତ ଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା