ନୂଆ ରାଜଘରାରେ ଏକଲବ୍ୟ ବିଦ୍ୟାଳୟ ପାଇଁ ଭୂମିପୂଜନ: ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

0 0

ବାଲିଗୁଡ଼ା, ୧୫/୧୧ (ପିପିଟି): ଦୀର୍ଘଦିନର ପ୍ରତୀକ୍ଷା ଓ ଆଶା ଆକାଂକ୍ଷାରେ ଶେଷରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଜନଜାତି ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆ ରାଜଘରାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ପଦକ୍ଷେପ ଆଗାମୀ ଦିନରେ ଅଞ୍ଚଳର ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସ୍ୱପ୍ନକୁ ନୂଆ ପରିଚୟ ଦେବ ବୋଲି ଆଶା ପ୍ରକାଶ ପାଇଛି। ଜନଜାତି ଗୌରବ ଦିବସ ତଥା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ବିଦ୍ୟାଳୟର ଭୂମିପୂଜନ କରିଥିଲେ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ସ୍ଥାନୀୟ ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭୂମିପୂଜନ ହେବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ଡ. ବ୍ରଜ ମୋହନ ରାମ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଯାଇଛି। ଏହି ଅବସରରେ କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ତହସିଲଦାର ସମୀର ପାଇକରାୟ, ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର, ଥାନା ଅଧିକାରୀ କେଳୁଚରଣ ଜେନା, ସିର୍ତ୍ତିଗୁଡ଼ା ସରପଞ୍ଚ ଭାଗ୍ୟବତୀ ମଲ୍ଲିକ, ସମିତି ସଭ୍ୟ ଭାଗ୍ୟବାନ ବେହେରା, ଲେତିଙ୍ଗିଆ ସରପଞ୍ଚ କୁନାଳ ଚନ୍ଦ୍ର ପ୍ରଧାନ ଓ କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଅତିଥିମାନେ ଜନଜାତି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ସହିତ ସ୍ୱାସ୍ଥ୍ୟ, ପୋଷଣ, ଜୀବିକା ଓ ସାମାଜିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବା କହିଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ଦୁର୍ଗମ ଅଞ୍ଚଳର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷକ କୃଷ୍ଣଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଯୋଗଦେଇଥିଲେ। ତେବେ ଏହି ଶିଳାନ୍ୟାସ କେବଳ ଏକ ବିଦ୍ୟାଳୟ ନିର୍ମାଣର ଆରମ୍ଭ ନୁହେଁ, ବରଂ ଜନଜାତି ଅଞ୍ଚଳର ଶିକ୍ଷାଗତ ପରିବର୍ତ୍ତନର ଏକ ନୂଆ ଆଶା। ଏବେ ଅଞ୍ଚଳବାସୀଙ୍କ ଅପେକ୍ଷା ରହିଛି, ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ବିଦ୍ୟାଳୟଟି ବାସ୍ତବ ରୂପ ନେଉ ଏବଂ ଆଦିବାସୀ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ନୂଆ ଦ୍ୱାର ଖୋଲୁ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.