ଛତ୍ରପୁର,୧୨/୧୧(ପିପିଟି): ଯୁବଶକ୍ତି ହିଁ କୌଣସି ରାଷ୍ଟ୍ରର ସବୁଠୁ ବଡ଼ ଶକ୍ତି। ଯୁବପିଢ଼ିଙ୍କ ହାତରେ ଗଞ୍ଜାମର ଉନ୍ନତି ଓ ଭବିଷ୍ୟତ ନିହିତ ରହିଛି । ନିଜ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ଯୁବ ମହୋତ୍ସବ ଏକ ଉତ୍କୃଷ୍ଟ ମଞ୍ଚ। ଏଠାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ସମସ୍ତ ଯୁବପ୍ରତିଭାଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆହ୍ୱାନ ଦେଇଛନ୍ତି ।
ଯୁବପିଢ଼ିଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୬’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନିଆ ଏହି ଉତ୍ସବରେ ପ୍ରାୟ ୨୪୦୦ ଯୁବକଯୁବତୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।
ଏହି ଅବସରରେ ଜିଲ୍ଲାପାଳ କୃତୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପୁରସ୍କୃତ କରିଥିଲେ । ଯୁବପିଢ଼ି କେବଳ ନିଜ ପ୍ରତିଭାର ବିକାଶରେ ସୀମିତ ନରହି ନିଜ ଅଞ୍ଚଳ ଓ ସମାଜ ବିକାଶରେ ମଧ୍ୟ ନିଜର ଯୋଗଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲେ ।
ଉତ୍ସବରେ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ଦଣ୍ଡନାଚ ସମେତ ଲୋକସଙ୍ଗୀତ, ଲୋକନୃତ୍ୟ, ନୁକ୍କଡ଼ ନାଟକ, କବିତା ଲିଖନ, ଚିତ୍ରାଙ୍କନ ଓ ପିପିଟି ଉପସ୍ଥାପନା ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାଂସ୍କୃତିକ ବିଭାଗର ବିଷୟବସ୍ତୁ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି’ ରହିଥିଲା ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେରକେଟା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ ଚରଣ ସ୍ୱାଇଁ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ଏବଂ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶଶାଙ୍କ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।