ଜୁମଡାଙ୍ଗ ଗ୍ରାମରେ ସ୍ଥାପନ ହେଲା ୧୦ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ।

0 0

ମାଲକାନଗିରି,୦୭/୧୧(ପିପିଟି): ଦୁର୍ଗମ ଅଞ୍ଚଳର ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଜୁମଡାଙ୍ଗ ଗ୍ରାମରେ ୧୦ଟି ନୂତନ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ଦୀର୍ଘ ଦିନ ଧରି ଗାଁ ରାସ୍ତାରେ ଆଲୋକର ଅଭାବ କାରଣରୁ ଗ୍ରାମବାସୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ, ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଏହି ଦୃଢ଼ ପଦକ୍ଷେପ ନିଆଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଏହି କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହୋଇ ଲୋକାର୍ପିତ ହେବାକୁ ଯାଉଛି।ଏହି ସଫଳତା ଏବଂ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ କହିଛନ୍ତି ଯେ ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ରହୁଥିବା ଶେଷ ଧାଡ଼ିର ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ମୌଳିକ ସୁବିଧା ପହଞ୍ଚାଇବା ଆମର ସର୍ବୋଚ୍ଚ ପ୍ରାଥମିକତା। ଜୁମଡାଙ୍ଗ ଗ୍ରାମରେ ସ୍ଥାପିତ ହେଉଥିବା ଏହି ୧୦ଟି ନୂତନ ସୋଲାର ଷ୍ଟ୍ରିଟ୍ ଲାଇଟ୍ କେବଳ ରାସ୍ତାକୁ ଆଲୋକିତ କରିବ ନାହିଁ, ବରଂ ଗ୍ରାମବାସୀଙ୍କ ରାତ୍ରିକାଳୀନ ସୁରକ୍ଷା ବଢ଼ାଇବା ସହ ସେମାନଙ୍କ ଜୀବନଶୈଳୀରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ। ସୌର ଶକ୍ତି ଭଳି ପରିବେଶ ଅନୁକୂଳ ଉତ୍ସର ବ୍ୟବହାର ଦ୍ୱାରା ଦୁର୍ଗମ ଅଞ୍ଚଳରେ ମଧ୍ୟ ନିରବଚ୍ଛିନ୍ନ ଆଲୋକ ଯୋଗାଣ ସୁନିଶ୍ଚିତ କରାଯାଇପାରିବ । ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଏବଂ ସାଧାରଣ ଜନତାଙ୍କ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ଜିଲ୍ଲା ପ୍ରଶାସନର ଏହି ତତ୍ପରତାକୁ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.