ଗଞ୍ଜାମ ବନ୍ୟା ବିପନ୍ନଙ୍କୁ ଭେଟିଲେ ନବୀନ;ସରକାର ତୁରନ୍ତ ସହାୟତା ପାଇଁ ଦାବିକଲେ ।

0 107

ହିଞ୍ଜିଳିକାଟୁ,୭/୧୧(ପିପିଟି ): ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ ବିପଦରେ ପଡିଥିବା ଚାଷୀ ଓ ଅନ୍ୟ ଲୋକ ମାନଙ୍କୁ ଭେଟିବା ପାଇଁ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ। ପ୍ରଥମେ ଶେରଗଡ ଓ ପରେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ଗ୍ରାମର ଉଜୁଡ଼ା କ୍ଷେତ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା ଦେଖିଥିଲେ। ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହୋଇ ସେମାନଙ୍କ ସମସ୍ୟା ଶୁଣିବା ସହ ତୁରନ୍ତ କ୍ଷତିପୂରଣ ପାଇଁ ଦାବି ଉଠାଇଛନ୍ତି ନବୀନ ପଟ୍ଟନାୟକ। ସେ ପୁଣି କହିଛନ୍ତି, ବନ୍ୟା କ୍ଷୟକ୍ଷତି ତୁଳନାରେ ସରକାରୀ ସହାୟତା ଅତ୍ୟନ୍ତ ଜରୁରୀ। ବାତ୍ୟା ଓ ଲଗାଣ ବର୍ଷାରେ ସର୍ବସ୍ୱ ହରାଇଥିବା ଚାଷୀ ଭାଇ ଓ ଭଉଣୀଙ୍କ କୋହଭରା କାନ୍ଦ ଏବଂ ଉଜୁଡ଼ି ଯାଇଥିବା ଫସଲ ଦେଖିବା ପରେ ଗାଡି ଭିତରେ ବସି ନିଜ ଆଖିର ଲୁହକୁ ଅଟକାଇ ପାରି ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଛଳ ଛଳ ଲୁହ ହିଞ୍ଜିଳିବାସୀଙ୍କ ପ୍ରତ୍ୟେକ ପରିବାର ପ୍ରତି ଥିବା ତାଙ୍କ ନିଃସ୍ୱାର୍ଥପର ସେବା,ଅସୀମ ଭଲ ପାଇବାର ହୃଦୟର ଯନ୍ତ୍ରଣା। ନବୀନ ପଟ୍ଟନାୟକ ଆଗମନକୁ ଅପେକ୍ଷା କରିଥିଲେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳର ଶହ ଶହ ସାଧାରଣ ଜନତା। ସହରଠୁ ଆରମ୍ଭ କରି ପୁରପଲ୍ଲୀ ଯାଏଁ ଲୋକେ ସ୍ୱତଃଫୁର୍ତ୍ତ ଭାବେ ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପେଡ ନିକଟରେ ଜମା ହୋଇ ସ୍ୱାଗତ କରିଥିଲେ। ବିଶେଷ କରି ଶହ ଶହ ମହିଳା ସାମିଲ ହୋଇଥିଲେ ବେଳେ ଜେନ- ଜି ଛାତ୍ର ନେତା ମାନେ ବାଇକ ରାଲୀ କରି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ସ୍ୱାଗତ କରିଥିଲେ। ବିରୋଧୀ ଦଳ ନେତାଙ୍କ ଗସ୍ତ ସମୟରେ ଛତ୍ରପୁର ଉପ ଜିଲ୍ଲାପାଳ ଡଃ ଶିବାଶିଷ ବରାଳ, ତହସିଲଦାର ତପନ କୁମାର ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ରାଜ୍ୟ ଛାତ୍ର ସଭାପତି ଚିନ୍ମୟ ସାହୁ, ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ପ୍ରତିନିଧୀ କେ.କୁନା ଆଚାରୀ, ବରିଷ୍ଠ ନେତା ସୁରେନ୍ଦ୍ର ନାଥ ପ୍ରଧାନ,ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌର ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ପଵିତ୍ର ମୋହନ ପାଣିଗ୍ରାହୀ,ଅଜୟ କୁମାର ମହାରଣାଙ୍କ ସମେତ ବହୁ ଜନ ପ୍ରତିନିଧି ଓ ମାନ୍ୟଗଣ୍ୟ ନେତା ଉପସ୍ଥିତ ଥିଲେ। ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସୁରକ୍ଷା ,ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ।

ରିପୋର୍ଟ -ଅଜିତ କୁମାର ପଟ୍ଟନାୟକ

Leave A Reply

Your email address will not be published.