ବୋଲଗଡ଼, ୦୪/୧୧(ପିପିଟି): ପାଟବନ୍ଧ ଗ୍ରାମରେ ରେ ଜନ୍ମ, ସଂପୁରରେ କର୍ମ ଏମିତି ଜଣେ ବିରଳ ପ୍ରତିଭା ଥିଲେ ସ୍ୱର୍ଗତ ସୁମନ୍ତ ଛୋଟରାୟ। ବୋଲଗଡ଼ ମାଟିର ଅହଙ୍କାର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ୍, କ୍ରାନ୍ତିକାରୀ ଶିକ୍ଷକ ନେତା, ବିଶିଷ୍ଟ ନାଟ୍ୟବିତ୍, ବାମପନ୍ଥୀ ସମାଜସେବୀ, ବିଶିଷ୍ଟ କବି, ବୋଲଗଡ଼ ମହୋତ୍ସବର ଉପଦେଷ୍ଟା, ଅନଙ୍ଗ ନରେନ୍ଦ୍ର ସାହିତ୍ୟ ସଂସଦର ଉପଦେଷ୍ଟା ଓ ‘ଶିକ୍ଷକ ଦର୍ପଣ’ ପତ୍ରିକାର ପ୍ରାକ୍ତନ ସମ୍ପାଦକ ସ୍ୱର୍ଗତ ସୁମନ୍ତ ଛୋଟରାୟଙ୍କ ଆକସ୍ମିକ ବିୟୋଗରେ ଆଜି ତାଙ୍କ କର୍ମଭୂମି ସଂପୁର ସ୍ତବ୍ଧ।
ସଂପୁର ନୂଆଖାଇ ମହୋତ୍ସବ କମିଟି ଓ ସଂପୁର ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହରିରାଜପୁର ପ୍ରାଥମିକ ବିଦ୍ୟାଳୟ ସଭାଗୃହରେ ଏକ ଭାବଗମ୍ଭୀର ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଯୁବ ସମାଜସେବୀ ନିରଞ୍ଜନ ନାୟକ ଆବାହକତ୍ବରେ ଓ ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶୋକସଭାରେ ବୋଲଗଡ଼ ଅଞ୍ଚଳର ବୁଦ୍ଧିଜୀବୀ ମହଲ ଏକାଠି ହୋଇଥିଲେ।
ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅମୟ ପଟ୍ଟନାୟକ, ରାମଚନ୍ଦ୍ର ଜୟସିଂ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେଶ କୁମାର ଛୋଟରାୟ, ଶିକ୍ଷାବିତ୍ ପ୍ରଫୁଲ୍ଲ ମହାପାତ୍ର, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଛମନ ପରିଡ଼ା, ଐତିହାସିକ ଗୋପୀନାଥ ଖାଡ଼ଙ୍ଗା, ଶିକ୍ଷାବିତ୍ ଦିବାକର ପରମଗୁରୁ, ଶିକ୍ଷାବିତ୍ ବୈକୁଣ୍ଠ ମହାରଣା, ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ, ହରିରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ସୁବୁଦ୍ଧି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଛୋଟରାୟଙ୍କ ସ୍ମୃତିଚାରଣ କରିଥିଲେ।
ବକ୍ତାମାନେ କହିଥିଲେ, “ବୋଲଗଡ଼ ଅଞ୍ଚଳର ଏକ କ୍ରାନ୍ତିକାରୀ ସ୍ୱର ଆଜି ନିରବି ଗଲା।” ତାଙ୍କର ସାହିତ୍ୟ ପ୍ରତି ଅନୁରାଗ, ସଂସ୍କୃତ ଭାଷା ପ୍ରତି ଗଭୀର ପ୍ରେମ, ଶିକ୍ଷା ପ୍ରତି ନିଷ୍ଠା ଏବଂ ସାଂଗଠନିକ କାର୍ଯ୍ୟରେ ତାଙ୍କର ଅମୂଲ୍ୟ ସହଯୋଗ ସାହିତ୍ୟ ସଂସଦ ପାଇଁ ସର୍ବଦା ଅପୂରଣୀୟ ହୋଇ ରହିବ।
ପାଟବନ୍ଧ ଗ୍ରାମରେ ଜନ୍ମ ହୋଇଥିଲେ ମଧ୍ୟ ସଂପୁର ଗ୍ରାମ ଥିଲା ତାଙ୍କର କର୍ମଭୂମି। ସଂପୁର ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟ ନିର୍ମାଣରେ ତାଙ୍କର ପ୍ରମୁଖ ସହଯୋଗ ଚିରକାଳ ଅମର ରହିବ ବୋଲି ଉପସ୍ଥିତ ସଦସ୍ୟମାନେ ମତପ୍ରକାଶ କରିଥିଲେ।
ଏହି ଅବସରରେ ତାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱର୍ଗତ ଛୋଟରାୟଙ୍କ ପରିବାରବର୍ଗଙ୍କୁ ଏହି ଦାରୁଣ ଦୁଃଖ ସହ୍ୟ କରିବା ପାଇଁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରି ସଭା ସମାପ୍ତ ହୋଇଥିଲା।
ଶିକ୍ଷକ ଚିତ୍ତରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ ପ୍ରମୋଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହେମନ୍ତ କୁମାର ଦେଓ, ନରେନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ସାଥୁଆ, ସାନ୍ତାନୁ ଛୋଟରାୟ, ଅଜୟ ମହାନ୍ତି, ସମ୍ବିତ ରାଉତରାୟ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।