ଅସ୍ତମିତ ହେଲା ଏକ ଯୁଗ, ଅପ୍ରତିଦ୍ୱନ୍ଦ୍ୱୀ ଶିକ୍ଷକ ନେତା କମ୍ରେଡ ସୁମନ୍ତ ଛୋଟରାୟଙ୍କ ପରଲୋକରେ ବୋଲଗଡ଼ରେ ଶୋକର ଛାୟା

0 295

ବୋଲଗଡ଼, ୩୧/୧୦ (ପିପିଟି):ଓଡ଼ିଶା ଶିକ୍ଷକ ଆନ୍ଦୋଳନର ଅନ୍ତିମ ପ୍ରଦୀପ, ଅପ୍ରତିଦ୍ୱନ୍ଦ୍ୱୀ ସଂଗ୍ରାମୀ ପୁରୁଷ କମ୍ରେଡ ସୁମନ୍ତ ଛୋଟରାୟ ଓରଫ ଶ୍ୟାମସୁନ୍ଦର ଛୋଟରାୟଙ୍କ ପରଲୋକ ହୋଇଯାଇଛି। ଏକ ସଂଗ୍ରାମୀ ଜୀବନର ଅବସାନ ସହ ବୋଲଗଡ଼ ମାଟିରୁ ଏକ ଯୁଗର ଅନ୍ତ ଘଟିଲା। ସେ ଥିଲେ ଏକାଧାରରେ ଜଣେ ଆପୋଷହୀନ କମ୍ୟୁନିଷ୍ଟ, ତେଜସ୍ୱୀ ଶିକ୍ଷକ ନେତା, ରସାଳ ସାହିତ୍ୟିକ ଓ ପରମ ଧର୍ମପରାୟଣ ବ୍ୟକ୍ତିତ୍ୱ। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଏହି ମହାନ୍ ଶିକ୍ଷକଙ୍କ ବିୟୋଗରେ ଆଜି ସାରା ଖୋର୍ଦ୍ଧା ଜିଲ୍ଲା ସ୍ତବ୍ଧ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଆଜି ଅପରାହ୍ନରେ ତାଙ୍କର ମର ଶରୀରକୁ ନିଜ ପୈତୃକ ଗ୍ରାମ ପାଟବନ୍ଧ ଶ୍ମଶାନରେ ଶେଷ ସଂସ୍କାର କରାଯାଇଛି। ଜ୍ୟେଷ୍ଠ ପୁତ୍ର ହେମନ୍ତ ଛୋଟରାୟ ମୁଖାଗ୍ନି ଦେଇଥିଲେ। ଏହି ଶୋକାକୁଳ ମୁହୂର୍ତ୍ତରେ ପରିବାରର ସମସ୍ତ ସଦସ୍ୟ, ବନ୍ଧୁ-ବାନ୍ଧବ, ବୋଲଗଡ଼ ଅଞ୍ଚଳର ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ର-ଛାତ୍ରୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। କମ୍ରେଡ ସୁମନ୍ତ ଛୋଟରାୟ ଥିଲେ ବିରଳ ପ୍ରତିଭା।କମ୍ୟୁନିଷ୍ଟ ନେତା ଭାବେ ବୋଲଗଡ଼ ମାଟିରେ ଲାଲ ପତାକାକୁ ଉଡ଼ାଇ ରଖିଥିଲେ। ଶୋଷିତ, ନିପୀଡ଼ିତଙ୍କ ସ୍ୱର ହୋଇ ଆଜୀବନ ଲଢେଇ କରିଥିଲେ। ଶିକ୍ଷକ ନେତା ଭାବେ ସଦା ଯୁବସୁଲଭ ଗୁଣରେ ଉଦ୍ଭାସିତ ସୁମନ୍ତ ସାର୍ ଯୁବ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭିତରେ ସଂଘୀୟ ଚେତନାର ଜାଗରଣ ସୃଷ୍ଟି କରିଥିଲେ। ଓଡ଼ିଶା ଶିକ୍ଷକ ସମାଜ ଆଜି ଯାହା ସବୁ ସୁବିଧା ସୁଯୋଗ ପାଇଛି, ତାହା ତାଙ୍କ ଭଳି ନେତାଙ୍କ ରକ୍ତ ଝରା ସଂଗ୍ରାମର ଫଳ। ସାହିତ୍ୟିକ ଭାବେ ତାଙ୍କ କଲମରେ ଥିଲା ବିପ୍ଳବ ଓ ମମତା। ଶ୍ରେଣୀ ଗୃହରେ ସେ ଯେତିକି ଶିକ୍ଷକ, ସଭା ମଞ୍ଚରେ ସେତିକି ସାରଗର୍ଭ ବକ୍ତା ଓ ସାହିତ୍ୟିକ ଥିଲେ।ଧର୍ମପରାୟଣ ଭାବେ ମାର୍କ୍ସବାଦର ବିଚାର ସହ ଭାରତୀୟ ସଂସ୍କୃତି ଓ ଧର୍ମ ପ୍ରତି ତାଙ୍କର ଅଗାଢ଼ ଶ୍ରଦ୍ଧା ତାଙ୍କୁ ଅନନ୍ୟ କରିଥିଲା। ତାଙ୍କ ବିୟୋଗ ବୋଲଗଡ଼ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଶିକ୍ଷା, ସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଚିର ଅମର ହୋଇ ରହିବ। ନଶ୍ୱର ଶରୀର ନଷ୍ଟ ହେଲେ ମଧ୍ୟ ତାଙ୍କର କୃତି, ସଂଘୀୟ କାର୍ଯ୍ୟଧାରା ତାଙ୍କୁ ଯୁଗ ଯୁଗ ଧରି ଜୀବନ୍ତ ରଖିବ।

Leave A Reply

Your email address will not be published.