ପୁରୀ,୩୦/୧୦(ପିପିଟି): ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ସମୁଦ୍ରକୂଳଠାରୁ ପ୍ରାୟ ୪୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ପ୍ରାକୃତିକ ଇନ୍ଧନ ଓ ଅନ୍ୟାନ୍ୟ ଭୂଗର୍ଭ ସମ୍ପଦର ସନ୍ଧାନ ପାଇଁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହୋଇଛି। ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ (ONGC)ର ମହାନଦୀ ବେସିନ୍ରେ ନିୟୋଜିତ ଏକ ଗଭୀର ସମୁଦ୍ର ଡ୍ରିଲିଂ ଜାହାଜ ଏହି କାର୍ଯ୍ୟରେ ଲାଗିଥିବା ଜଣାପଡ଼ିଛି। ସମୁଦ୍ର ଗର୍ଭରେ ଚାଲିଥିବା ଏହି ଅନୁସନ୍ଧାନକୁ ନେଇ ଉପକୂଳ ଅଞ୍ଚଳରେ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ଏହାର ଉଦ୍ଦେଶ୍ୟ ଓ ପରିବେଶ ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଏହି ଡ୍ରିଲିଂ ମାଧ୍ୟମରେ ସମୁଦ୍ର ତଳର ଭୂତାତ୍ତ୍ୱିକ ଗଠନ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ତୈଳ, ପ୍ରାକୃତିକ ଗ୍ୟାସ୍ ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ରହିବାର ସମ୍ଭାବନା ଯାଞ୍ଚ କରାଯାଉଥିବା ଅନୁମାନ କରାଯାଉଛି। ତେବେ ଡ୍ରିଲିଂର ପ୍ରକୃତ ଉଦ୍ଦେଶ୍ୟ, କାର୍ଯ୍ୟର ପରିସର ଏବଂ ଏହାର ଫଳାଫଳ ସମ୍ପର୍କରେ ଆଧିକାରିକ ସୂଚନା ମିଳିବା ପରେ ଅଧିକ ସ୍ପଷ୍ଟତା ଆସିବ। ଏହି ମଧ୍ୟରେ ଚନ୍ଦ୍ରଭାଗା ନିକଟ ତେଲୁଗୁ ବସ୍ତିର କେତେକ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ଚାଲିଥିବା ଡ୍ରିଲିଂ କାର୍ଯ୍ୟର ଫଟୋ ଉତ୍ତୋଳନ କରିଛନ୍ତି।