ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ, ଏସ୍.ଓ.ପି କାର୍ଯ୍ୟକାରିତା ଯାଞ୍ଚ।

0 202

ବୋଲଗଡ଼,୨୭/୧୦ (ପିପିଟି): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଶହରା ଅବକାଶ ପରେ ବିଦ୍ୟାଳୟ ମଙ୍ଗଳବାର ଖୋଲିବା ପରିପ୍ରେକ୍ଷୀରେ ଏବଂ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ଦ୍ୱାରା ଜାରି ଏସ୍.ଓ.ପିର କାର୍ଯ୍ୟକାରିତା ତଦାରଖ ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ସୂଚନା ଅନୁସାରେ, ଶ୍ରୀ ସ୍ୱାଇଁ ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ, ହରିରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖଙ୍ଗୁରିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ବୋଲଗଡ଼ ସଦର ମହକୁମା ସ୍ଥିତ ପି.ଏମ୍.ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ପରିଦର୍ଶନ ସମୟରେ ସେ ବିଦ୍ୟାଳୟ ପ୍ରକୋଷ୍ଠ, ହାତା, ରୋଷେଇ ଗୃହ, ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା, ନିରାପଦ ବ୍ୟବସ୍ଥା, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ରୋଷ୍ଟର ଡ୍ୟୁଟି ରେଜିଷ୍ଟର, ଲେସନ ନୋଟ୍, ଉପସ୍ଥାନ ଖାତା, ଛାତ୍ରଛାତ୍ରୀଙ୍କ ଗୃହକାର୍ଯ୍ୟ ଖାତା ଏବଂ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ଏହାସହ ଶିକ୍ଷକମାନଙ୍କ ଶିକ୍ଷାଦାନ ତଦାରଖ କରି ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଶିକ୍ଷାଦାନ କରିଥିଲେ।

ଉକ୍ତ ୪ଟି ବିଦ୍ୟାଳୟ ବାତ୍ୟା ଓ ବର୍ଷା ସମ୍ପର୍କିତ ମାନକ କାର୍ଯ୍ୟ ପ୍ରଣାଳୀ (ଏସ୍.ଓ.ପି) ଅନୁସାରେ କାର୍ଯ୍ୟ କରିଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ପ୍ରଧାନଶିକ୍ଷୟିତ୍ରୀ ଶୈବାଳିନୀ ମଲ୍ଲିକ, ରାନୁମା ପ୍ରଧାନ, ସବିତା ସୁବୁଦ୍ଧି ଓ ମଞ୍ଜୁବାଳା ବଳିୟାର ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.