ଅତାବିରାରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିପୁଳ ସମ୍ବର୍ଦ୍ଧନା ।

0 0

ରେଙ୍ଗାଲିକ୍ୟାମ୍ପ, ୨୭/୧୦ : ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ଏକ ବ୍ୟକ୍ତିଗତ କାର୍ଯ୍ୟରେ ସମ୍ବଲପୁର ଆସିଥିବା ଅବସରରେ ଅତାବିରାର ଅଧିଷ୍ଠାତ୍ରୀ ଦେବୀ ମା’ ଦୁର୍ଗାଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ। ଏହି ଖବର ପାଇବା ପରେ ଅତାବିରା ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ଏକ ଭବ୍ୟ ତଥା ଉଷ୍ମ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ମନ୍ଦିର ସମ୍ମୁଖରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ରହି ଦୁଲୁଦୁଲି ବାଜା, ଘଣ୍ଟ ଓ ଶଙ୍ଖ ଧ୍ୱନି ମଧ୍ୟରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କୁ ଆଦରର ସହ ପାଛୋଟି ନେଇଥିଲେ। ମନ୍ଦିର ପରିସରରେ ଶ୍ରୀମତୀ କାର୍ତ୍ତିକେୟନ ମା’ଙ୍କ ପାଖରେ ପୂଜାର୍ଚ୍ଚନା ଓ ଆଳତି କରି ରାଜ୍ୟ ତଥା ଜନସାଧାରଣଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଦୁର୍ଗାପୂଜା କମିଟି ପକ୍ଷରୁ ତାଙ୍କୁ ମା’ ଦୁର୍ଗାଙ୍କ ଏକ ଫଟୋଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା।
ଦର୍ଶନ ପରେ କଲ୍ୟାଣ ମଣ୍ଡପ ପରିସରରେ ଏକ ବର୍ଣ୍ଣାଢ଼୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ  ସୁଜାତା ରାଉତ କାର୍ତ୍ତିକେୟନ, ଦୁର୍ଗାପୂଜା କମିଟିର ସଭାପତି ସୁରେନ୍ଦ୍ର ସ୍ୱାଇଁ, ଆଇନଜୀବୀ ଉନ୍ନିକୃଷ୍ଣନ୍ ନାୟାର ଏବଂ ସୁଜାତା ପଣ୍ଡା ମଞ୍ଚାସୀନ ଥିଲେ। ଏଥିରେ ଶତାଧିକ ବିଜେଡି କର୍ମୀ, ବିଭିନ୍ନ କମିଟିର ସଦସ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଭେଡ଼େନ ଓ ଅତାବିରା ବ୍ଲକର ଅଧ୍ୟକ୍ଷା, ସରପଞ୍ଚ ଏବଂ ସମିତି ସଭ୍ୟ-ସଭ୍ୟାମାନେ ଯୋଗ ଦେଇଥିଲେ।

ସଭାରେ ପୂର୍ବତନ ବିଜେଡି ସରକାର ସମୟରେ ବିଭିନ୍ନ ଅନୁଦାନ ରାଶିରେ ନିର୍ମିତ ମଣ୍ଡପ, ମନ୍ଦିର, ସେତୁ ତଥା ଆଞ୍ଚଳିକ ବିକାଶମୂଳକ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯାଇଥିଲା। ବିଳମ୍ବ ସତ୍ତ୍ୱେ କର୍ମୀମାନଙ୍କ ଉତ୍ସାହ ଓ ସୁବ୍ୟବସ୍ଥିତ କାର୍ଯ୍ୟକ୍ରମ ଦେଖି ଶ୍ରୀମତୀ କାର୍ତ୍ତିକେୟନ ଭୂୟସୀ ପ୍ରଶଂସା କରିଥିଲେ। ସେ ନିଜ ବକ୍ତବ୍ୟରେ ଭାବବିହ୍ୱଳ ହୋଇ କହିଥିଲେ ଯେ, “ଏହି ଆଧ୍ୟାତ୍ମିକ ପରିବେଶ ଓ ଜନସାଧାରଣଙ୍କ ଅକୁଣ୍ଠ ଭଲପାଇବା ଏବଂ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ମୋତେ ଅଭିଭୂତ କରିଛି।” ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ହୋଇଥିବା ଐତିହାସିକ ବିକାଶ କାର୍ଯ୍ୟକୁ ସ୍ମରଣ କରିବା ସହ ଦଳ ଓ ନେତୃତ୍ୱ ପ୍ରତି ଲୋକଙ୍କ ଏହି ସ୍ନେହ-ଶ୍ରଦ୍ଧା ସର୍ବଦା ଅତୁଟ ରହୁ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏଥିସହ ଆସନ୍ତାକାଲି ଡୁଙ୍ଗୁରିପାଲି ଠାରେ ଆୟୋଜିତ ହେବାକୁ ଥିବା ପଦଯାତ୍ରାରେ ସମସ୍ତଙ୍କୁ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମ ଶେଷରେ ସିଦ୍ଧାର୍ଥ ସଙ୍କଟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ସଭା ପରେ ଶ୍ରୀମତୀ କାର୍ତ୍ତିକେୟନ ବରଗଡ଼ ଅଭିମୁଖେ ପ୍ରସ୍ଥାନ କରିଥିଲେ।

Leave A Reply

Your email address will not be published.