ବାତ୍ୟା ମୁକାବିଲା ପାଇଁ ସଜାଗ ଗଞ୍ଜାମ ପ୍ରଶାସନ;୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ୧୧୦ ଆଶ୍ରୟସ୍ଥଳୀ ପ୍ରସ୍ତୁତ ।

0 0

ଛତ୍ରପୁର,୨୭/୧୦(ପିପିଟି): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ମୁକାବିଲା ଓ ଜନସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଏନେଇ ମଙ୍ଗଳବାର ଛତ୍ରପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି । ଜିଲ୍ଲାବାସୀଙ୍କୁ ଭୟଭୀତ ନ ହୋଇ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି । ଆସନ୍ତାକାଲି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି ।

ଜିଲ୍ଲା,ବ୍ଲକ,ତହସିଲ ଓ ପୌରାଞ୍ଚଳ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି । ଜିଲ୍ଲା ଜରୁରୀକାଳୀନ ଅପରେସନ୍‌ କେନ୍ଦ୍ରର ଫୋନ୍‌ ନମ୍ବର ୦୬୮୧୧-୨୬୩୯୭୮ ଜାରି କରାଯାଇଛି। ନଦୀବନ୍ଧ ଓ ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସମୁଦ୍ରକୁ ଯିବା ଓ ମାଛଧରା କାର୍ଯ୍ୟ ସ୍ଥଗିତ ରଖାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଶୀଘ୍ର ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳ ତହସିଲଦାର, ମତ୍ସ୍ୟ ଅଧିକାରୀ ଓ ସାମୁଦ୍ରିକ ପୁଲିସ୍‌ ସ୍ଥିତି ଉପରେ ନିରନ୍ତର ନଜର ରଖୁଛନ୍ତି ।

ଜରୁରୀକାଳୀନ ଉଦ୍ଧାର ଓ ମୁକାବିଲା ପାଇଁ ଏସ୍‌ଆର୍‌ସିଙ୍କ ପକ୍ଷରୁ ଗଞ୍ଜାମକୁ ୩ଟି ଓଡ୍ରାଫ୍‌ ଓ ୨ଟି ଏନ୍‌ଡିଆର୍‌ଏଫ୍‌ ଦଳ ମୁତୟନ କରାଯାଇଛି । ଛତ୍ରପୁରସ୍ଥିତ ଓଏସ୍‌ଏପି ୮ମ ବାଟାଲିଅନ୍‌ର ଗୋଟିଏ ଓଡ୍ରାଫ୍‌ ଦଳ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏବଂ ଅନ୍ୟ ଗୋଟିଏ ଦଳ ପାତ୍ରପୁରରେ ମୁତୟନ ହୋଇଛି । ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଦଳ ବ୍ରହ୍ମପୁରରେ ଓ ଅନ୍ୟଟି ଆସିକାରେ ରହିଛି । ଏହାସହ ୨୪ଟି ଅଗ୍ନିଶମ ଦଳ ଓ ଆବଶ୍ୟକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ସ୍ଥାନରେ ୪ଟି ଏସ୍‌ଆର୍‌ସି ପାୱାର ବୋଟ୍‌ ମଧ୍ୟ ମୁତୟନ କରାଯାଇଛି ।

ବାତ୍ୟା ଆଶ୍ରୟସ୍ଥଳୀ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ପ୍ରଶାସନର ସ୍ୱତନ୍ତ୍ର ନଜର ରହିଛି। ୧୧୦ଟି ଏମ୍‌ସିଏସ୍‌/ଏମ୍‌ଏଫ୍‌ଏସ୍‌କୁ ଆବଶ୍ୟକୀୟ ବ୍ୟବସ୍ଥା ସହ ପ୍ରସ୍ତୁତ ରଖାଯାଇଛି । ଏଥିରେ ବିଦ୍ୟୁତ୍‌ ଯୋଗାଣ ପାଇଁ ବିକଳ୍ପ ବ୍ୟବସ୍ଥା, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ରହିଛି । ଜିଲ୍ଲାପାଳ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରି ପ୍ରସ୍ତୁତ ରଖାଯାଇଥିବା ବେଳେ ୯୨୨ଟି ସମ୍ବେଦନଶୀଳ ଗ୍ରାମ ଚିହ୍ନଟ କରାଯାଇଛି ।

ଜଳ ନିଷ୍କାସନ ଓ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ବିଭିନ୍ନ ସ୍ଥାନରେ ସଫେଇ ଓ ଅବରୋଧ ହଟାଇବା କାର୍ଯ୍ୟ କରାଯାଇଛି। ବ୍ରହ୍ମପୁରର ଖୋଡ଼ାସିଙ୍ଗି ବ୍ରିଜ୍‌ ସଫେଇ, ଗଜପତିନଗରର ଲୋ-ଲେଭଲ୍‌ ବ୍ରିଜ୍‌ ଭାଙ୍ଗିବା, ଗୋପାଳପୁର ଜଙ୍କସନ୍‌ ନିକଟ ବାହାନା ନାଳା ଉପରୁ ଗଛ କାଟିବା ଓ ଅବରୋଧ ହଟାଇବା, ବଞ୍ଚାଦେଇନଗରରେ ବାହାନା ନାଳା ସଫେଇ, ଶରଧାବାଲିରେ ଜଳ ନିଷ୍କାସନ ଏବଂ ଗାୟତ୍ରୀ ବିହାରର ସୂର୍ଯ୍ୟ ନାଳା ସଫେଇ କରାଯାଇଛି ।

ଜରୁରୀକାଳୀନ ସାମଗ୍ରୀ ଭାବେ ୩୨୪.୧ କ୍ୱିଣ୍ଟାଲ୍‌ ଚୁଡ଼ା, ୩୩୨.୨ କ୍ୱିଣ୍ଟାଲ୍‌ ଗୁଡ଼ ଓ ୧୪,୨୦୦ ରୋଲ୍‌ ପଲିଥିନ୍‌ ମହଜୁଦ ରଖାଯାଇଛି। ଜିଲ୍ଲାରେ ମୋଟ ୧,୬୩୬ଟି ଡଙ୍ଗା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧,୩୫୪ଟି ମୋଟରଚାଳିତ ଓ ୨୮୨ଟି ଅଣମୋଟରଚାଳିତ ଡଙ୍ଗା ରହିଛି ।

ଗୋପାଳପୁର ବନ୍ଦରରେ ଆନ୍ଧ୍ରପ୍ରଦେଶର ୩୦ଟି ଓ ପାରାଦୀପରୁ ଆସିଥିବା ୪ଟି ଟ୍ରଲରକୁ ସୁରକ୍ଷିତ ଆଶ୍ରୟ ଦିଆଯାଇଛି । ସେହିପରି ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରେ ୨ଟି ଟ୍ରଲର ସୁରକ୍ଷିତ ରହିଛି। ଆର୍ଯ୍ୟପଲ୍ଲୀରେ ୧୩ ଜଣ ଏବଂ ଗୋପାଳପୁର ବନ୍ଦର ପରିସରରେ ୨୫୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ରଖାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ୧,୨୬୨ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୧୮୮ ଜଣଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏହାମଧ୍ୟରୁ ୧୧୭ ଜଣଙ୍କର ସୁରକ୍ଷିତ ଭାବେ ପ୍ରସବ ସମ୍ପନ୍ନ ହୋଇଛି ।

ଏପର୍ଯ୍ୟନ୍ତ ୪୨ଟି ଆଶ୍ରୟସ୍ଥଳୀ ଚାଲୁ ରହିଛି। ସେଠାରେ ୨୪୦ ଜଣ ପୁରୁଷ, ୨୬୮ ଜଣ ମହିଳା ଓ ୧୭୦ ଜଣ ଶିଶୁଙ୍କୁ ମିଶାଇ ମୋଟ ୬୭୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ୨୪ଟି ମାଗଣା ରୋଷେଇ କେନ୍ଦ୍ର ଖୋଲାଯାଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସୁରକ୍ଷା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ସହ ନିରନ୍ତର ସମନ୍ୱୟ ରଖାଯାଇଛି। ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା, ଡେପୁଟି କଲେକ୍ଟର (ଜରୁରୀକାଳୀନ) ସୁନୀଲ ସାଇ ଦେବାଶିଷ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.