ଭଞ୍ଜନଗର, ୨୬/୧୦(ପିପିଟି ):ଏହି ପାର୍ବଣ ଋତୁର ଭିଡ଼ ଭିତରେ ପୋଲିସ ଆଖିରେ ଧୂଳି ଫିଙ୍ଗି କିଛି ଗଞ୍ଜେଇ ମାଫିଆ ନିଜ ମନ୍ଦ ଉଦ୍ଦେଶ୍ୟ କୁ ସଫଳ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଣିଥରେ ଭଞ୍ଜନଗର ପୋଲିସ ହାବୁଡ଼ରେ ପଡ଼ିଛନ୍ତି।କନ୍ଧମାଳ ଜିଲ୍ଲାରୁ ପ୍ରାୟ ପ୍ରତିଦିନ ବିଭିନ୍ନ ରାସ୍ତା ଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅଧିକାଂଶ ସମୟରେ ଭଞ୍ଜନଗର ରାସ୍ତାରେ କଡ଼ା ପେଟ୍ରୋଲିଂ ଯୋଗୁଁ ଗଞ୍ଜେଇ ଚାଲାଣକାରୀମାନେ ପୋଲିସ ହାବୁଡ଼ରେ ପଡୁଥିବାରୁ ଏହି ରାସ୍ତା ସେମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଧରି ନେଇଛନ୍ତି। ତେଣୁ ଯିଏ ବି ଅଜାଣତରେ ଏହି ରାସ୍ତାରେ ଆସୁଛି, ସେ ଭଞ୍ଜନଗର ଥାନା ସୀମା ପାର ହେବା କଷ୍ଟସାଧ୍ୟ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ପୁଣିଥରେ ଭଞ୍ଜନଗର ପୋଲିସ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲାର ସମନ ପ୍ରଧାନ ଓ ଉଧେଶ୍ୱର ପ୍ରଧାନ। ପୋଲିସ ସେମାନଙ୍କ ଠାରୁ ମୋଟ ୫୧ କେଜି ଗଞ୍ଜେଇ ସହ ଦୁଇଟି ବାଇକ୍ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ରବିବାର ଏସ୍ଆଇ ଲଷ୍ମୀଧର ମହାନ୍ତି ଓ ଅନ୍ୟ ପୋଲିସ କର୍ମଚାରୀ ଡହ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଦେଖି ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ଗଞ୍ଜେଇ ସହ ଦୁଇଟି ବାଇକ ଜବତ କରାଯାଇଛି।ନିଶା କାରବାର, ଚୋରା ମଦ ବିକ୍ରି ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ଭଞ୍ଜନଗର ପୋଲିସ ତୀକ୍ଷ୍ଣ ନଜର ରଖିଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ -ଜେ କେ ପଟ୍ଟନାୟକ