ବିଦ୍ୟୁତ୍ ଓ ପାନୀୟ ଜଳ ଅଭାବରେ ଖିରିଡ଼ା ହାଇସ୍କୁଲ, ରୂପାନ୍ତରଣ ପରେବି ଦୁର୍ଦ୍ଦଶାରେ ଛାତ୍ରଛାତ୍ରୀ ।

0 4

ଶେରଗଡ଼,୨୪/୧୦: ଚକାଚକ୍ କୋଠା, ସ୍ମାର୍ଟ କ୍ଲାସରୁମ୍ ଓ ଆଧୁନିକ ଶିକ୍ଷା ବ୍ୟବସ୍ଥାର ସ୍ୱପ୍ନ ନେଇ ରୂପାନ୍ତରିତ ହୋଇଥିଲା ବିଦ୍ୟାଳୟ। କିନ୍ତୁ ରକ୍ଷଣାବେକ୍ଷଣ ଓ ମୌଳିକ ସୁବିଧା ଅଭାବରୁ ଏବେ ସେହି ବିଦ୍ୟାଳୟରେ ପାଠ ପଢ଼ିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ଖିରିଡ଼ା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଓ ପାନୀୟ ଜଳ ସୁବିଧା ନଥିବା ଅଭିଯୋଗ ହୋଇଛି। ଫଳରେ ଗରମ ଓ ଗୁଳୁଗୁଳିରେ ଛାତ୍ରଛାତ୍ରୀ ଅସୁବିଧା ଭୋଗୁଥିବା ବେଳେ ଅନ୍ଧାରରେ ପାଠପଢ଼ା ଚାଲିଥିବା କୁହାଯାଉଛି। ସେହିପରି ବିଦ୍ୟାଳୟ ଚାରିପଟେ ପାଚେରି ନଥିବାରୁ ଏହାର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏକଦା ଆଧୁନିକ ଶିକ୍ଷାର ମଡେଲ୍ ଭାବେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର ବର୍ତ୍ତମାନର ସ୍ଥିତିକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ପୂର୍ବ ସରକାରଙ୍କ ସମୟରେ ୫ଟି ଯୋଜନା ଅଧୀନରେ ଖିରିଡ଼ା ହାଇସ୍କୁଲର ରୂପାନ୍ତରଣ କରାଯାଇଥିଲା। ଏହି ପ୍ରକ୍ରିୟାରେ ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବ୍ରେରୀ, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ସହ ବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ତେବେ ଏବେ ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଅଭାବ ରୂପାନ୍ତରଣର ସଫଳତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ପାଚେରି ନଥିବାରୁ ବାହାର ଲୋକଙ୍କ ଅବାଧ ପ୍ରବେଶ ହେଉଥିବା ଏବଂ କେତେକ ଝରକାର କାଚ ଭାଙ୍ଗି ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ବିଦ୍ୟାଳୟର ସମ୍ପତ୍ତି ସୁରକ୍ଷା ସହ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ନେଇ ଚିନ୍ତା ବଢ଼ିଛି। ଅନ୍ୟପଟେ ପିଇବା ପାଣିର ସୁବିଧା ନଥିବାରୁ ପିଲାମାନଙ୍କୁ ଦୈନନ୍ଦିନ ପାଠପଢ଼ା ସମୟରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଆଧୁନିକ ଶିକ୍ଷା ପରିବେଶ ଗଢ଼ିବାର ଲକ୍ଷ୍ୟ କେତେଦୂର ସଫଳ ହୋଇଛି, ତାହା ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।
ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଆବଶ୍ୟକ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ବିଦ୍ୟାଳୟ ପରିସରର ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ ସୁଦୃଢ଼ କରିବାକୁ ଦାବି ହୋଇଛି। ଏନେଇ ଉପଜିଲ୍ଲାପାଳ ଖୁବ୍ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ଏବେ ଅଞ୍ଚଳବାସୀଙ୍କ ଅପେକ୍ଷା, ପ୍ରଶାସନର ଏହି ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେବ ଏବଂ ଖିରିଡ଼ା ହାଇସ୍କୁଲର ଛାତ୍ରଛାତ୍ରୀ କେବେ ମୌଳିକ ସୁବିଧା ପାଇବେ।

Leave A Reply

Your email address will not be published.