ବିଜୟା ଦଶମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ।

0 190

ପୁରୀ, ୨୧/୧୦(ପିପିଟି): ପବିତ୍ର ବିଜୟା ଦଶମୀ ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହେଉଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ ଲାଗି ଓ ନୂତନ ବସ୍ତ୍ର ପରିଧାନ ପରେ ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହେଉଛି।

ଅନ୍ୟପକ୍ଷରେ, ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିଥାନ୍ତି। ଦଶହରା ଅବସରରେ ମା’ ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା’ କାକୁଡ଼ିଖାଇଙ୍କ ବିସର୍ଜନ ନୀତି ଆଜି ରାତିରେ ଅନୁଷ୍ଠିତ ହେବ। ଏହାପରେ ଆସନ୍ତାକାଲି ଶ୍ରୀମନ୍ଦିର ସମ୍ମୁଖରେ ବିଭିନ୍ନ ଗୋଷାଣୀଙ୍କୁ ନେଇ ଦେବୀସଭା ଅନୁଷ୍ଠିତ ହେବା ପରେ ବିସର୍ଜନ କରାଯିବ। ବିଜୟା ଦଶମୀର ଧାର୍ମିକ ପରମ୍ପରା ଓ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.