ରାସ୍ତା ଅଭାବରୁ ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ପ୍ରସୂତି ।

0 203

ରାୟଗଡ଼ା,୨୦/୧୦ : ଗାଁକୁ ନାହିଁ ରାସ୍ତା। ଫଳରେ ଜରୁରୀ ସମୟରେ ଗାଁ ଭିତରକୁ ପହଞ୍ଚିପାରିଲାନି ୧୦୮ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ ଥିବା ଜଣେ ପ୍ରସୂତିଙ୍କୁ ପ୍ରାୟ ଏକ କିଲୋମିଟର ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ କର୍ମଚାରୀ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ର ଶୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ସରମବାଇ ଗାଁରେ ଘଟିଥିବା ଏହି ଘଟଣା ଗ୍ରାମାଞ୍ଚଳର ରାସ୍ତା ସମସ୍ୟା ଓ ଜରୁରୀ ସ୍ୱାସ୍ଥ୍ୟସେବାର ଉପଲବ୍ଧତାକୁ ନେଇ ପ୍ରଶ୍ନ ଉଠାଇଛି।
ସୂଚନା ଅନୁଯାୟୀ, ସରମବାଇ ଗାଁର ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଏ ସମ୍ପର୍କରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଗାଁ ନିକଟରେ ପହଞ୍ଚିଥିଲେ ମଧ୍ୟ ରାସ୍ତା ନଥିବାରୁ ଗାଁ ଭିତରକୁ ଯାଇପାରି ନଥିଲା। ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତ ନାଏକ, ସହାୟକ ଅବିରାମ ନାଏକ ଓ ଫାର୍ମାସିଷ୍ଟ ବିନ୍ଦୁ ସାଗର ବାଘ ମାନବିକତାର ପରିଚୟ ଦେଇଥିଲେ। ସେମାନେ ଷ୍ଟ୍ରେଚରରେ ମହିଳାଙ୍କୁ ପ୍ରାୟ ଏକ କିଲୋମିଟର ବୋହି ସରମବାଇ ବିଦ୍ୟାଳୟ ନିକଟରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବିକତା ଓ କର୍ତ୍ତବ୍ୟନିଷ୍ଠାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ତେବେ ଘଟଣାକୁ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ। ଗୋଟିଏ ପଟେ ସ୍ୱାସ୍ଥ୍ୟସେବାକୁ ଗ୍ରାମାଞ୍ଚଳର ଦ୍ୱାରଦେଶରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟପଟେ ରାସ୍ତା ଅଭାବରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁକୁ ଯାଇ ନପାରିବା ଚିନ୍ତାର ବିଷୟ ହୋଇଛି। ସରମବାଇ ଗାଁର ରାସ୍ତା ସମସ୍ୟାର ସମାଧାନ ପାଇଁ ପ୍ରଶାସନ କେବେ ପଦକ୍ଷେପ ନେଉଛି ଏବଂ ଗ୍ରାମବାସୀଙ୍କୁ ସୁଗମ ଯୋଗାଯୋଗ ସହ ଜରୁରୀ ସ୍ୱାସ୍ଥ୍ୟସେବା କିପରି ସୁନିଶ୍ଚିତ କରାଯାଉଛି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।

Leave A Reply

Your email address will not be published.