ବିରାଜିଲେ ଜଗତଜନନୀ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ।

0 0

ଭୁବନେଶ୍ୱର/କଟକ,୧୮/୧୦(ପିପିଟି): ଧରାପୃଷ୍ଠରେ ବିରାଜିଲେ ମା’ ଦୁର୍ଗା। ଧୂପ, ଦୀପ, ମନ୍ତ୍ରପାଠ ଓ ହୋମଯଜ୍ଞରେ ମୁଖରିତ ହୋଇଉଠିଛି ପୂଜାମଣ୍ଡପ। ଶାରଦୀୟ ଦୁର୍ଗାପୂଜାକୁ ନେଇ ସାରା ଓଡ଼ିଶା ଏବେ ଉତ୍ସବମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଥିବାବେଳେ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଆକର୍ଷଣୀୟ ତୋରଣ, ରଙ୍ଗିନ ଆଲୋକମାଳା ଓ ସୁନ୍ଦର ସାଜସଜ୍ଜାରେ ଝଲସୁଛି ଗାଁଠୁ ସହର। ଚଳିତବର୍ଷ ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର ପୂଜାମଣ୍ଡପରେ ପର୍ବତ ଉପରେ ଶୈବପୀଠର ଆକୃତି ସହ ଭିତରେ ସର୍କସ ଥିମ୍ର ତୋରଣ ଶ୍ରଦ୍ଧାଳୁଙ୍କ ଆକର୍ଷଣ ପାଲଟିଛି। ସେହିପରି ବମିଖାଲ ଦୁର୍ଗାପୂଜା ସମିତି ପକ୍ଷରୁ ଦୁବାଇ ଥିମ୍ର ତୋରଣ ନିର୍ମାଣ କରାଯାଇଥିବାବେଳେ ମଣ୍ଡପର ଭିତର ସାଜସଜ୍ଜାରେ ରୁପା ଓ ଚାନ୍ଦିର ବ୍ୟବହାର କରାଯାଇଛି। ଚଳିତବର୍ଷ ଭସାଣି ଶୋଭାଯାତ୍ରାରେ ଏକ ଆକର୍ଷଣୀୟ ଟ୍ରେନ୍ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜାମଣ୍ଡପଗୁଡ଼ିକରେ ସିସିଟିଭି ନଜରଦାରୀ ସହ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ରୂପାର ସହର କଟକ ମଧ୍ୟ ଦୁର୍ଗାପୂଜାର ରଙ୍ଗରେ ରଙ୍ଗିନ ହୋଇଉଠିଛି। ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ସହ ଶିବ-ପାର୍ବତୀଙ୍କ ପୂଜା ଚାଲିଥିବାବେଳେ ବାଖରାବାଦ ପୂଜା କମିଟିର ଅଭିନବ ଆୟୋଜନ ଚର୍ଚ୍ଚାରେ ରହିଛି। ଏଠାରେ ପାରମ୍ପରିକ ଦୁର୍ଗାମୂର୍ତ୍ତି ପରିବର୍ତ୍ତେ ଭାରତମାତାଙ୍କ ପୂଜା କରାଯାଉଛି। ସେହିପରି ସମ୍ବଲପୁର ସହରରେ ମଧ୍ୟ ମହାଆଡ଼ମ୍ବରରେ ଚାଲିଛି ଜଗତଜନନୀଙ୍କ ଆରାଧନା। ଧନୁପାଲି, ଗୋବିନ୍ଦତୋଲା, ଫାଟକ ସମେତ ବିଭିନ୍ନ ପୂଜାମଣ୍ଡପରେ ଚଣ୍ଡୀପାଠ ଓ ପୂଜାବିଧିରେ ଭକ୍ତିମୟ ହୋଇଉଠିଛି ପରିବେଶ। ଉଚ୍ଚ ତୋରଣ ଓ ରଙ୍ଗିନ ଆଲୋକମାଳା ସହରର ସୌନ୍ଦର୍ଯ୍ୟକୁ ବଢ଼ାଇଥିବାବେଳେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଆକର୍ଷଣ ବଢ଼ାଉଛି। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିରହିଛି। ଭିଡ଼ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁଲିସ ଓ ପୂଜା କମିଟିଗୁଡ଼ିକ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭକ୍ତି, ପରମ୍ପରା ଓ ଭାଇଚାରାର ବାର୍ତ୍ତା ନେଇ ମା’ ଦୁର୍ଗାଙ୍କ ଆଗମନ ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି କରିଛି।

Leave A Reply

Your email address will not be published.