ପାର୍ବଣ ଆରମ୍ଭରୁ ରାଜଧାନୀରେ ଟ୍ରାଫିକ୍ ଯନ୍ତ୍ରଣା ।

0 6

ଭୁବନେଶ୍ୱର,: ପାର୍ବଣ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସହରର ମୁଖ୍ୟ ରାସ୍ତା, ପ୍ରମୁଖ ଛକ ଏବଂ ଜାତୀୟ ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଲାଗୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ଭିଡ଼ ଭିତରେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଦୀର୍ଘ ସମୟ ଧରି ଫସି ରହୁଛି। ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବା ପରିବର୍ତ୍ତେ କେତେକ ଅମାନିଆ ଗାଡ଼ି ଚାଳକ ରାସ୍ତା ଅବରୋଧ କରୁଥିବା ଅଭିଯୋଗ ହୋଇଛି। ଫଳରେ ଜରୁରୀ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ନେବାରେ ବିଳମ୍ବ ହେଉଛି।
ବିଶେଷକରି ଭୁବନେଶ୍ୱରରୁ ଗୁରୁତର ରୋଗୀଙ୍କୁ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସମୟରେ ଏହି ସମସ୍ୟା ଚିନ୍ତା ବଢ଼ାଇଛି। ସାଧାରଣତଃ ଭୁବନେଶ୍ୱରରୁ କଟକରେ ପହଞ୍ଚିବାକୁ ଆମ୍ବୁଲାନ୍ସକୁ ୩୦ରୁ ୪୫ ମିନିଟ୍ ସମୟ ଲାଗୁଥିବାବେଳେ ପାର୍ବଣଜନିତ ଟ୍ରାଫିକ୍ ଭିଡ଼ ଯୋଗୁଁ ଏବେ ଏକ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ଜଣାପଡ଼ିଛି। ଜୀବନମରଣ ସହ ସଂଘର୍ଷ କରୁଥିବା ରୋଗୀଙ୍କ କ୍ଷେତ୍ରରେ ଏଭଳି ବିଳମ୍ବ ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ଆମ୍ବୁଲାନ୍ସ ଚାଳକଙ୍କ କହିବା ଅନୁଯାୟୀ, ସାଇରନ୍ ବାଜିବା ସତ୍ତ୍ୱେ କେତେକ ଗାଡ଼ି ଚାଳକ ରାସ୍ତା ଛାଡ଼ୁନାହାନ୍ତି। ଫଳରେ ବାଧ୍ୟ ହୋଇ କେତେକ ସମୟରେ ଆମ୍ବୁଲାନ୍ସ ଚାଳକଙ୍କୁ ରଙ୍ଗ୍ ରୁଟ୍ରେ ଯିବାକୁ ପଡ଼ୁଛି।
ଅନ୍ୟପକ୍ଷରେ, ଆମ୍ବୁଲାନ୍ସର ସୁଗମ ଯାତାୟାତ ପାଇଁ ବିଭିନ୍ନ ପ୍ରମୁଖ ଛକରେ ନିର୍ମାଣ କରାଯାଇଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର୍ ମଧ୍ୟ ଏବେ ଅବ୍ୟବସ୍ଥାର ଶିକାର ହୋଇଛି। ଫାୟାର ଷ୍ଟେସନ୍ ଛକ, ସିଆର୍ପିଏଫ୍ ଛକ, ନୟାପଲ୍ଲୀ, ଜୟଦେବ ବିହାର ଓ ଏଜି ଛକ ଭଳି ଅଧିକ ଭିଡ଼ ରହୁଥିବା ସ୍ଥାନରେ ଆମ୍ବୁଲାନ୍ସ କରିଡର୍ ସ୍ପଷ୍ଟ ଭାବେ ଦେଖାଯାଉନାହିଁ। କେଉଁଠି କେବଳ ବୋଲାର୍ଡ୍ ଲଗାଇବା ପାଇଁ ରହିଥିବା ନଟ୍-ବୋଲ୍ଟ ଦେଖାଯାଉଛି ତ ଆଉ କେଉଁଠି ପ୍ଲାଷ୍ଟିକ୍ ବୋଲାର୍ଡ୍ ଭାଙ୍ଗିଯାଇଛି କିମ୍ବା ରାସ୍ତା ସହ ମିଶିଯାଇଛି। ଫଳରେ ସାଧାରଣ ଗାଡ଼ିଗୁଡ଼ିକ ଏହି ଅଞ୍ଚଳକୁ ମାଡ଼ି ଆସୁଥିବାରୁ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ରାସ୍ତାର ଉଦ୍ଦେଶ୍ୟ ବିଫଳ ହେଉଛି।
ଦଶହରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବା ପାଇଁ ଟ୍ରାଫିକ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି। ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଟ୍ରାଫିକ୍ ପରିଚାଳନା ଓ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ୭୩ ଜଣ ପୁଲିସ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ। ପାର୍ବଣ ସମୟରେ ଭିଡ଼ ନିୟନ୍ତ୍ରଣ, ରାସ୍ତାରେ ଶୃଙ୍ଖଳା ରକ୍ଷା ଏବଂ ଜରୁରୀକାଳୀନ ଯାନବାହନର ଯାତାୟାତକୁ ସୁଗମ କରିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।
ତେବେ ଟ୍ରାଫିକ୍ ସମସ୍ୟା କେବଳ ପାର୍ବଣ ସମୟରେ ସୀମିତ ନୁହେଁ। ବର୍ଷର ଅନ୍ୟ ସମୟରେ ମଧ୍ୟ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ଏଭଳି ସମସ୍ୟା ବାରମ୍ବାର ଦେଖାଦେଉଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଓ ଦଣ୍ଡବିଧାନ ବ୍ୟବସ୍ଥା ଥିବା ସତ୍ତ୍ୱେ ଅନେକ ଚାଳକ ନିୟମ ମାନୁନଥିବା ଅଭିଯୋଗ ହେଉଛି। ଆମ୍ବୁଲାନ୍ସ କରିଡର୍ର ପୁନରୁଦ୍ଧାର, ଭାଙ୍ଗିଯାଇଥିବା ବୋଲାର୍ଡ୍ର ମରାମତି, ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ ଏବଂ ଜନସଚେତନତା ବୃଦ୍ଧି ଏବେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କାରଣ ଆମ୍ବୁଲାନ୍ସ ପାଇଁ ରାସ୍ତା ଛାଡ଼ିବା କେବଳ ଟ୍ରାଫିକ୍ ନିୟମ ପାଳନ ନୁହେଁ, ଏହା ମାନବିକତା ଓ ଜୀବନ ବଞ୍ଚାଇବାର ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ।

Leave A Reply

Your email address will not be published.