ଭୁବନେଶ୍ୱର, ୧୫/୧୦(ପିପିଟି ):ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଗୁରୁବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କ ସହ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଓଡ଼ିଶାରେ ତାଙ୍କର ପ୍ରାୟ ଏକ ବର୍ଷ ନଅ ମାସର କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କ ପକ୍ଷରୁ ମିଳିଥିବା ସହଯୋଗ ଓ ସମର୍ଥନ ପାଇଁ ରାଜ୍ୟପାଳ କୃତଜ୍ଞତା ଜଣାଇଥିଲେ।
ଓଡ଼ିଶାରେ ବିତାଇଥିବା ସମୟ ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟରେ ତାଙ୍କର କାର୍ଯ୍ୟକାଳ ସମୟରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ଯେଉଁ ସହଯୋଗ ଓ ସମନ୍ୱୟ ପ୍ରଦାନ କରିଥିଲେ, ସେଥିପାଇଁ ରାଜ୍ୟପାଳ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।
ଏହି ବିଦାୟ ସମାରୋହ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜ୍ୟପାଳଙ୍କ ପ୍ରତି ନିଜର ସମ୍ମାନ ଓ ଆନ୍ତରିକତା ପ୍ରକାଶ କରିବା ସହ ତାଙ୍କ ସହ କାର୍ଯ୍ୟ କରିବାର ଅନୁଭୂତି ବାଣ୍ଟିବାର ସୁଯୋଗ ପ୍ରଦାନ କରିଥିଲା। ଏହି ଅବସରରେ ସେମାନେ ରାଜ୍ୟପାଳଙ୍କ ସହ ରହିଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ସ୍ମରଣ କରିବା ସହ ତାଙ୍କର ଭବିଷ୍ୟତର ସମସ୍ତ କାର୍ଯ୍ୟ ଓ ପ୍ରୟାସର ସଫଳତା କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଲୋକଭବନର କର୍ମଚାରୀମାନେ ମଧ୍ୟ ନିଜ ନିଜର ଅନୁଭୂତି ବ୍ୟକ୍ତ କରିବା ସହ ରାଜ୍ୟପାଳଙ୍କ ସହ କାର୍ଯ୍ୟ କରିବାର ସ୍ମୃତିଚାରଣ କରିଥିଲେ।
ପରିଶେଷରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟପାଳଙ୍କ ପ୍ରତି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।