ଭୁବନେଶ୍ୱର,୧୪/୧୦(ପିପିଟି):ଆଜି ଉତ୍କଳ ମେଲ ଓଡ଼ିଆ ଭୁବନେଶ୍ୱର ସଂସ୍କରଣର ୩୮ ତମ ବାର୍ଷିକ ଉତ୍ସବ ଗୀତଗୋବିନ୍ଦ ସଦନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ, ସାମ୍ବାଦିକତା ଓ ଯୁବ ପିଢ଼ି ମଧ୍ୟରେ ଓଡ଼ିଆ ଚେତନା ଜାଗ୍ରତ କରିବା ଉପରେ ଆଲୋଚନା କରାଯାଇଥିଲା।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନଗର ଉନ୍ନୟନ, ଗୃହ ନିର୍ମାଣ ତଥା ପବ୍ଲିକ ଏଣ୍ଟରପ୍ରାଇଜେସ ବିଭାଗ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ କବି ଡ଼ ପ୍ରସନ୍ନ ପଟ୍ଟଶାଣୀ:ଯୋଗ ଦେଇ କହିଥିଲେ ଯେ, ଓଡ଼ିଆ ଭାଷା କେବଳ ଏକ ଭାଷା ନୁହେଁ, ଏହା ଆମର ଅସ୍ମିତା। ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କୁ ଆଗେଇ ଆସିବାକୁ ପଡିବ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦେଶକ ସ୍ମିତା କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼ ଉମାକାନ୍ତ ପଣ୍ଡା ଆମ ସଂସ୍କୃତି ପରମ୍ପରା, ଓଡ଼ିଆ ସାହିତ୍ୟର ବର୍ତମାନ ସ୍ଥିତି ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ।
ଉତ୍କଳ ମେଲର ମୁଖ୍ୟ ସମ୍ପାଦକ ଡ଼ ପୀତବାସ ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍କଳ ମେଲ ର ସଂଘଷ ର ଯାତ୍ରା ଓ ସାମ୍ବାଦିକ ଙ୍କ ସମସ୍ୟା ସମ୍ପର୍କ ରେ ଆଲୋକପାତ କରିଥିଲେ । ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ବିଭୁତି କର, ଜେ ଡି ସି ଏ ର ସମ୍ପାଦକ ସନତ ମିଶ୍ର, ବରିଷ୍ଟ ସାମ୍ବାଦିକ ଶ୍ରୀରାମ ଦାସ, ହିମାଂଶୁ ଖଟୁଆ, ପବିତ୍ର ମହାରଥା, ସ୍ବଦେଶୀ ମୁଦୁଲି, କୃପାନିଧି ବିଶ୍ୱାଳ,ଯୋଗିନୀ ଯୋଗମାୟା ପ୍ରମୁଖ ମଂଚାସୀନ ରହିବା ସହ ବକ୍ତବ୍ୟ ପ୍ରଦାନ ରଖିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ ।
ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଉତ୍କଳ ମେଲର ଉତ୍ତୋରତ୍ତର ଉନ୍ନତି କାମନା ସହ ଗଣ ମାଧ୍ୟମର ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଖୟ ଧଳ, ରବି ମହାନ୍ତି, ମୀନ କେତନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଅଭୟ ପରିଡା (ସତସଙ୍ଗ) ସତସଙ୍ଗର ମହତ୍ତ୍ୱ ଓ ଜୀବନରେ ନୈତିକ ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ।
ଯୁବ ବକ୍ତା ବିଶ୍ଵବାଣୀ ସମ୍ପାଦକ ଅର୍ଜୁନ ମୁଦୁଲି ଓ ଷ୍ଟାଲିନ ପରିଜା ଦୁହେଁ ଗଣମାଧ୍ୟମର ସ୍ଥିତି, ଯୁବ ପିଢ଼ିକୁ ଓଡ଼ିଆ ସହ ଯୋଡି ହେବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ସତ୍ୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମକୁ ପରିଚାଳନା ସମ୍ପାଦକ ବିବେକାନନ୍ଦ ଦାସ ସଂଚାଳନ କରିଥିଲେ । ଏହି ଉତ୍ସବ ଆଗାମୀ ଦିନରେ ଓଡ଼ିଆ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶା କରାଯାଉଛି।