କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ନେଇ ସମୀକ୍ଷା ବୈଠକ ।

0 7

ଗଞ୍ଜାମ,୧୩/୧୦(ପିପିଟି):ଗଞ୍ଜାମ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ସହ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି, ମତ୍ସ୍ୟଚାଷ, ପଶୁପାଳନ, ଉଦ୍ୟାନ କୃଷି ଓ କିଆ ଫୁଲ ଚାଷର ବିକାଶ ସହ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ସଶକ୍ତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକରେ ନୀତି ଆୟୋଗର ୟଙ୍ଗ ପ୍ରଫେସନାଲ୍ ଲତିକା ଖତୱାନୀ ଏବଂ ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ବରିଷ୍ଠ ଗବେଷକ ଡକ୍ଟର ସୁଧା ନାରାୟଣନ ଯୋଗଦେଇ ଗଞ୍ଜାମ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସମନ୍ୱିତ ବିକାଶର ସମ୍ଭାବନା ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ଉତ୍ପାଦନ ବୃଦ୍ଧି, ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ ବ୍ୟବସ୍ଥାର ଉନ୍ନତି,ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଏବଂ ବଜାର ସଂଯୋଗକୁ ସୁଦୃଢ଼ କରିବା ଉପରେ ସେମାନେ ପରାମର୍ଶ ଦେଇଥିଲେ ।

ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଜିଲ୍ଲାର ସମସ୍ତ ବନଖଣ୍ଡ ଅଧିକାରୀ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ଲଳିତ କୁମାର ପଣ୍ଡା,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଞ୍ଜନ ଦାଶ,ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସନ୍ତୋଷ ରଥ, ନାବାର୍ଡର ଜିଲ୍ଲା ପ୍ରବନ୍ଧକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.