ମାଣିତରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୬ ।

0 0

ପୋଲସରା ,୧୨/୧୦(ପିପିଟି) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ମାଣିତରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬ ” କାର୍ଯ୍ୟକ୍ରମ କ୍ଲଷ୍ଟର ଅନ୍ତର୍ଗତ ୧୪ ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଅନୁଷ୍ଠିତ ହୋଇଯାଇଛି। ସୁରଭି ମାଧ୍ଯମରେ ପାଠପଢା ବ୍ୟତୀତ ଅନ୍ୟାନ୍ୟ ସହ ଶିକ୍ଷା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ସାଉଁଟି ବାହାର କରିବାରର ଏକ ଉତ୍ତମ କାର୍ଯ୍ୟକ୍ରମ। ମାଣିତରା କ୍ଲଷ୍ଟର ସିଆରସିସି ଶଶିକାନ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲାଳସେନ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଯୋଗଦେଇ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ , ନଗୁଡୁ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସୁଶୀଲ ରାଇକା, ଘୋଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ ଓ ଏସଏମସି ସଭାପତି ସଞ୍ଜୟ କୁମାର ଗୌଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ପ୍ରାରମ୍ଭିକ ଓଡ଼ିଶୀ ନୃତ୍ୟ ମାଣିତରା ହାଇ ସ୍କୁଲର ଛାତ୍ରୀ ସ୍ମୃତିରାଣି ବାରିକ ଅତି ସୁନ୍ଦର ଭାବେ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିପାରିଥିଲେ। ଜଣେ ପଲ୍ଲୀ ଗ୍ରାମର ଝିଅ ମୋବାଇଲ ଦେଖି ଅତି ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରିଥିବାରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ମହାରଣା ଏକ ଶହ ଟଙ୍କା ସହ ଏକ ପେନ୍ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଉଦଯାପନୀ କାର୍ଯ୍ୟକ୍ରମରେ ବୁଗୁଡ଼ା ଏବିଇଓ ରବୀନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମାଣିତରା ହାଇ ସ୍କୁଲର ଶିକ୍ଷକ ଜ୍ୟୋତି ପ୍ରକାଶ ପ୍ରଧାନ ଓ ଗୋପାଳ କୃଷ୍ଣ ନାୟକ ଏବଂ ନଗୁଡ଼ୁ ହାଇ ସ୍କୁଲର ଶିକ୍ଷୟିତ୍ରୀ ହରପ୍ରିୟା ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମାଣିତରା କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ପର୍ଣ୍ଣ କରିବା ସହ ମାଣିତରା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା। ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୪ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରୀୟ ବିଭିନ୍ନ ପ୍ରତିଯୋତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.