ପୋଲସରାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ସହ ‘ସେବା ସେତୁ’ ଶିବିର ।

0 216

ପୋଲସରା,୧୨/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ସହିତ ‘ସେବା ସେତୁ’ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ,ଆରକ୍ଷୀ ଅଧୀକ୍ଷକ,ଗଞ୍ଜାମ ଗିରିଶ ବି.ସି., ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ ।

‘ସେବା ସେତୁ’ ଶିବିରରେ ବିଭିନ୍ନ ବିଭାଗ ପକ୍ଷରୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ଷ୍ଟଲ୍‌ ଖୋଲାଯାଇ ସରକାରୀ ଯୋଜନା ଓ ଜନକଲ୍ୟାଣକାରୀ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିରରେ ମୋଟ ୧୨୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୧୦୬ଟି ବ୍ୟକ୍ତିଗତ ଓ ୨୧ଟି ସାମୂହିକ ସମସ୍ୟା ସମ୍ପର୍କିତ ଥିଲା। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସହାୟତା ପାଇଁ ୧୩ଟି ଏବଂ ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇଁ ୨ଟି ଆବେଦନ ଗ୍ରହଣ କରାଯାଇଥିଲା ।

ଏହି ଅବସରରେ ୬ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା, ୧୧ ଜଣଙ୍କୁ ରାସନ କାର୍ଡ ଓ ଜଣଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା କାର୍ଡ ପ୍ରଦାନ କରାଯାଇଥିଲା । ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ୍, ଜଣଙ୍କୁ କ୍ରଚ୍ ଓ ଅନ୍ୟ ଜଣଙ୍କୁ ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଥିଲା ।

ମହିଳା ସଶକ୍ତୀକରଣ ଓ ଜୀବିକା ବିକାଶ ଦିଗରେ ମା’ ବୈଷ୍ଣବଦେବୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ ଲକ୍ଷ ଟଙ୍କାର ବୀଜ ପୁଞ୍ଜି ଏବଂ ଅନ୍ୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ ଲକ୍ଷ ଟଙ୍କାର ମହିଳା ଉଦ୍ୟୋଗୀ ଋଣ ପ୍ରଦାନ କରାଯାଇଥିଲା । ଅନ୍ୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩୪,୧୬୯ ଟଙ୍କାର ସୁଧ ରିହାତି ଯୋଗାଇ ଦିଆଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନ୍ତର୍ଗତ ଜଣେ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ବୀମା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏଥିସହ ୧୩ ଜଣ ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୋଟ ୧,୦୭,୫୦୦ ଟଙ୍କାର ସହାୟତା ମଞ୍ଜୁର କରାଯାଇଥିଲା ।

ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ତର୍ଜମା କରି ତ୍ୱରିତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୋଲସରାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ସହିତ ଗଞ୍ଜାମ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲାର ମୋଟ ୨୨ଟି ବ୍ଲକରେ ୬୧୪ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୧୬୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.