ଡିଜେର ଉଚ୍ଚଶବ୍ଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୮ରୁ ଅଧିକ ଆହତ ।

0 0

ପିପିଲି,୧୨/୧୦: ଗଣେଶ ପୂଜା ଭସାଣି ଶୋଭାଯାତ୍ରାରେ ଡିଜେର ଉଚ୍ଚଶବ୍ଦକୁ କେନ୍ଦ୍ର କରି ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ଖଣ୍ଡିଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ସଂଘର୍ଷ ଘଟିଛି। ଏହି ଘଟଣାରେ ୮ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗଣେଶ ପୂଜା ଭସାଣି ଶୋଭାଯାତ୍ରା ସମୟରେ ରାତିରେ ଉଚ୍ଚଶବ୍ଦରେ ଡିଜେ ବଜାଇବାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଡିଜେର ଶବ୍ଦ କମାଇବାକୁ କେତେକ ଲୋକ ଆପତ୍ତି ଉଠାଇବା ପରେ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେଇ ମାରପିଟ୍ରେ ପରିଣତ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଏକାଧିକ ଲୋକ ଆହତ ହୋଇଥିଲେ।
ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିବାରୁ ପୁଲିସ ମୁତୟନ କରାଯାଇଛି। ଏହାସହ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସଂଘର୍ଷର କାରଣ, ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଏବଂ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ପୁଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି। ଗାଁରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।

Leave A Reply

Your email address will not be published.