ଦଶହରା ପୂର୍ବରୁ ମହଙ୍ଗା ମାଡ଼, ଚିନି-ଡାଲି ପରେ ବଢ଼ିଲା ଚାଉଳ ଦର ।

0 0

ଭୁବନେଶ୍ୱର,୧୧/୧୦(ପିପିଟି ): ପାର୍ବଣ ଋତୁରେ ଖାଉଟିଙ୍କୁ ମହଙ୍ଗା ମାଡ଼। ଦଶହରା ପୂର୍ବରୁ ବଜାରରେ ଚିନି ଓ ଡାଲି ଦର ପୁଣି ବଢ଼ିଥିବା ବେଳେ ଚାଉଳ ଓ କ୍ଷୀର ଦର ବୃଦ୍ଧି ମଧ୍ୟ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ଚିନି କୁଇଣ୍ଟାଲ ପିଛା ୩୦୦ରୁ ୫୦୦ ଟଙ୍କା ଏବଂ ଡାଲି କୁଇଣ୍ଟାଲ ପିଛା ୫୦୦ରୁ ୭୦୦ ଟଙ୍କା ବଢ଼ିଥିବା ବ୍ୟବସାୟୀମାନେ କହିଛନ୍ତି। କିଛି ଦିନ ପୂର୍ବରୁ ଚିନି କୁଇଣ୍ଟାଲ ପିଛା ୫,୦୦୦ ଟଙ୍କା ଥିବା ବେଳେ ଏବେ ଏହାର ଦର ୫,୩୦୦ରୁ ୫,୫୦୦ ଟଙ୍କାରେ ପହଞ୍ଚିଛି। ଖୁଚୁରା ବଜାରରେ ଚିନି କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ହରଡ଼ ଡାଲି କୁଇଣ୍ଟାଲ ପିଛା ୧୩,୫୦୦ ଟଙ୍କାରୁ ବଢ଼ି ୧୪,୦୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ଖୁଚୁରା ବଜାରରେ କିଲୋ ପ୍ରତି ୧୪୨ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି। ବୁଟ ଡାଲି ଦର ମଧ୍ୟ କୁଇଣ୍ଟାଲ ପିଛା ୬୦୦ରୁ ୭୦୦ ଟଙ୍କା ବଢ଼ିଛି। ପାର୍ବଣ ସମୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଏଭଳି ଦରବୃଦ୍ଧି ଉପବାସ ରଖୁଥିବା ଲୋକଙ୍କଠାରୁ ଆରମ୍ଭ କରି ସାଧାରଣ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କ ବଜେଟ୍କୁ ପ୍ରଭାବିତ କରିଛି।
ବ୍ୟବସାୟୀଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ଚିନି ଉତ୍ପାଦନ ନଗଣ୍ୟ ଥିବାରୁ ରାଜ୍ୟର ଆବଶ୍ୟକତାର ଅଧିକାଂଶ ଅଂଶ ଅନ୍ୟ ରାଜ୍ୟରୁ ଆସୁଛି। ରାଜ୍ୟରେ ବାର୍ଷିକ ପ୍ରାୟ ୯ ଲକ୍ଷ ଟନ୍ ଚିନି ଆବଶ୍ୟକ ହେଉଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ପ୍ରାୟ ୯୮ ପ୍ରତିଶତ ଚିନି ଆସୁଥିବା ସେମାନେ କହିଛନ୍ତି। ଗତ ଛଅ ମାସ ଧରି ଚିନି ଦରରେ ଅସ୍ଥିରତା ଲାଗି ରହିଛି। ମାସକ ପୂର୍ବରୁ ଚିନି କିଲୋ ପିଛା ୭୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ପରେ କିଛିଟା ହ୍ରାସ ପାଇଥିଲା। ଏବେ ପୁଣି ଦର ବଢ଼ିବା ଆରମ୍ଭ ହୋଇଛି। ସେହିପରି ରାଜ୍ୟରେ ବାର୍ଷିକ ପ୍ରାୟ ୯ ଲକ୍ଷ ୩୦ ହଜାର ଟନ୍ ଡାଲିର ଆବଶ୍ୟକତା ରହିଛି। ଏହାର ଚାହିଦା ପୂରଣ ପାଇଁ ଛତିଶଗଡ଼, ମହାରାଷ୍ଟ୍ର ଓ ନାଗପୁର ଅଞ୍ଚଳରୁ ବିପୁଳ ପରିମାଣର ହରଡ଼ ଡାଲି ଆସୁଥିବା ବେଳେ ରାଜ୍ୟରେ ଉତ୍ପାଦିତ ମୁଗ, ବିରି ଓ କୋଳଥ ମଧ୍ୟ ସ୍ଥାନୀୟ ଚାହିଦା ପୂରଣରେ ସହାୟକ ହେଉଛି।
ଗତ ସପ୍ତାହରେ ଚାଉଳ ଦର ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ଅରୁଆ ଚାଉଳ ଦର ବଢ଼ିଛି। ସରୁ ବା ଫାଇନ୍ ଚାଉଳ କୁଇଣ୍ଟାଲ ପିଛା ୮୦୦ରୁ ୧,୦୦୦ ଟଙ୍କା ଏବଂ ସୁପର ଫାଇନ୍ ଚାଉଳ ୧,୦୦୦ରୁ ୧,୫୦୦ ଟଙ୍କା ବଢ଼ିଥିବା ବ୍ୟବସାୟୀମାନେ କହିଛନ୍ତି। ଜିରା ରାଇସ୍ କିଲୋ ପିଛା ୬୦ରୁ ୬୫ ଟଙ୍କା, ଡେରାଡୁନ ଚାଉଳ ୧୦୫ରୁ ୧୧୦ ଟଙ୍କା ଏବଂ ବାସୁମତି ଚାଉଳ ୨୦ ଟଙ୍କା ବୃଦ୍ଧି ପାଇ ୧୭୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପକ୍ଷରେ, ଅକ୍ଟୋବର ୪ରୁ ଓମଫେଡ୍ କ୍ଷୀର ଲିଟର ପିଛା ୨ରୁ ୪ ଟଙ୍କା ମହଙ୍ଗା ହୋଇଛି। ଏକାଧିକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଘରୋଇ ଖର୍ଚ୍ଚ ବଢ଼ୁଥିବା ବେଳେ ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାରୀ ହସ୍ତକ୍ଷେପ ଦାବି ଜୋର ଧରିଛି।
କଟକ ବଣିକ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ଯେ ମାଲଗୋଦାମରେ ଚିନି ଓ ଡାଲି ଦର ବଢ଼ିଛି। ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ତଥା ବରିଷ୍ଠ ବ୍ୟବସାୟୀ ସୁଧାକର ପଣ୍ଡା କହିଛନ୍ତି ଯେ ଡାଲି, ଚାଉଳ ଓ ଚିନି ଭଳି ସାମଗ୍ରୀର ଯୋଗାଣ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ତାଙ୍କ ମତରେ, ବଜାରରେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ପ୍ରଭାବ ବଢ଼ିଥିବାରୁ ସେମାନେ ନିର୍ଦ୍ଧାରଣ କରୁଥିବା ଦରରେ ବ୍ୟବସାୟୀମାନଙ୍କୁ ସାମଗ୍ରୀ କିଣିବାକୁ ପଡ଼ୁଛି। ତେଣୁ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ସହ ଖାଉଟିଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ସେ ମତ ଦେଇଛନ୍ତି।

Leave A Reply

Your email address will not be published.