ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି – ୨୦୨୬ ଅନୁଷ୍ଠିତ ।

0 1

ପୋଲସରା ,୧୦/୧୦(ପିପିଟି) :ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦରାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ମଥୁରା କ୍ଲଷ୍ଟର ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଯୋଜନା ଆଧାରିତ ଚିତ୍ରାକଳା ଓ ଶିଳ୍ପକଳା ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କ୍ଲଷ୍ଟର ସ୍ଥିତ ୬ ଗୋଟି ଉଚ୍ଚ ବିଦ୍ୟାଳୟ ଓ ୯ ଗୋଟି ପ୍ରାଥମିକ ବିଦ୍ୟାଳୟର ୧ମ ରୁ ୩ ଶ୍ରେଣୀ ପର୍ଯ୍ୟନ୍ତ ସବ୍-ଜୁନିୟର, ୪ର୍ଥ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିୟର ଓ ୮ ମରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ସିନିୟର ଏହି ୩ ବିଭାଗରେ ସର୍ବମୋଟ ୧୨୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଏମାନଙ୍କ ମଧ୍ୟରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୫୦ ଜଣ ପ୍ରତିଯୋଗୀମାନଙ୍କୁ ପ୍ରଶ°ସାପତ୍ର ଏବଂ ଟ୍ରଫି ଓ ପଦକ ପ୍ରଦାନ ଦିଆଯାଇଥିଲା। ସିଆରସିସି ବଳରାମ ନାୟକଙ୍କ ଆବାହକତ୍ଵ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଲଚନା କୁମାରୀ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଠ ସମାଜସେବୀ କୃଷ୍ଣ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଏସଏମସି ସଭାନେତ୍ରୀ ବନିତା ରାଉତଙ୍କ, ପୋଲସରା ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା)ର ସଭାପତି ସନ୍ନ୍ୟାସୀ ସାହୁଙ୍କ ସମେତ ବିଭିନ୍ନ କ୍ଲଷ୍ଟର ଗୁଡ଼ିକର ସୁନୀଲ କୁମାର ବେହେରା,ଗୌରୀ ଶଙ୍କର ହୋତା, ରାକେଶ ରୋଶନ ବେହେରା ଓ ଅଜିତ କୁମାର ମହାପାତ୍ର ସିଆରସିସି ବୃନ୍ଦ ଯୋଗଦେଇ ସମସ୍ତ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ “ସୁରଭି” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଉପରେ ବକ୍ତବ୍ୟ, ମାର୍ଗଦର୍ଶନ ଓ ଉତ୍ସାହିତ କରିବା ସହ ସଫଳତା ଶୁଭକାମନା କରିଥିଲେ। ସଂଯୋଜନା ଶିକ୍ଷକ ଜିତେନ୍ଦ୍ର କୁମାର ମିଶ୍ର ଖୁବ୍ ସୁନ୍ଦରଭାବେ କରିଥିଲେ। ବିଚାରକମଣ୍ଡଳୀଙ୍କ ଦ୍ବାରା ଆସନ୍ତା ୧୪ ତାରିଖ ଶନିବାର ଦିନ ପୋଲସରା ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବାକୁ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୯ ଜଣ କୃତୀତ୍ୱ ଛାତ୍ରଛାତ୍ରୀମାନେ ଯୋଗ୍ୟ ବିବେଜିତ ହୋଇଥିବା ଘୋଷଣା କରାଯାଇଥିଲା। ତେବେ ସବୁଠାରୁ ଉଲ୍ଲେଖନୀୟ ପ୍ରକାରେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଚ୍ଚ କୋଟିର ନୃତ୍ୟାଭିନୟ ଦ୍ବାରା ସମସ୍ତଙ୍କଠାରୁ ପ୍ରଶଂସା ସାଉଁଟିଥିବା ଉକ୍ତ କ୍ଲଷ୍ଟରର ଜାଗିଲି ଡେଙ୍ଗାପଦର ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ କାର୍ଯ୍ୟକ୍ରମ ପରିବେଷଣ ଖୁବ୍ ସୁନ୍ଦର ହୋଇଥିବାର ଦେଖିବାକୁ ମିଳିଥିଲା। ଶେଷରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ, ସମସ୍ତ ସହଯୋଗୀ ଶିକ୍ଷକ, ଶିକ୍ଷୟିତ୍ରୀ, ଏସଏମସି ସଭ୍ୟବୃନ୍ଦମାନଙ୍କୁ ଶିକ୍ଷକ ଦାମୋଦର ସାହୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.