ଛତ୍ରପୁର,୦୭/୧୦(ପିପିଟି): ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଓ ନୂତନ ନିବେଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆଜି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି (ଡିଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ବୈଠକରେ ୩ଟି ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପର ବିଭିନ୍ନ ଦିଗ ଓ ମାନଦଣ୍ଡ ଉପରେ ଆଲୋଚନା କରାଯାଇ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ସହ ଆବଶ୍ୟକ ଜମି ଆବେଦନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।
ଏଥିସହ ବରପାଲ୍ଲୀସ୍ଥିତ ଇଡକୋ ଶିଳ୍ପାଞ୍ଚଳରେ ଜମି ପାଇଥିବା ବିଭିନ୍ନ ଉଦ୍ୟୋଗର କାର୍ଯ୍ୟାନ୍ୱୟନ,ପ୍ରକଳ୍ପର ଅଗ୍ରଗତି ଓ ଆବଶ୍ୟକ ସରକାରୀ ଅନୁମୋଦନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ବସନ୍ତ କୁମାର ସେଠୀ, ବ୍ରହ୍ମପୁର ସିଟି ଏବଂ ଜିଏସ୍ଟି ସର୍କଲ୍-୧ର ଅତିରିକ୍ତ କମିଶନର ପ୍ରହ୍ଲାଦ କୁମାର ମହାପାତ୍ର, ଅତିରିକ୍ତ ଜମି ଅଧିକାରୀ ଜିତେନ୍ଦ୍ରିୟ ଦାସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଇ. ତ୍ରିଲୋଚନ ସେନାପତିଙ୍କ ସମେତ ସନ୍ଦୀପ କୁମାର ରାଉତ, ସୂର୍ଯ୍ୟକାନ୍ତ ପାତ୍ର, ହିମାଂଶୁ ସାହୁ ଓ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ ।