‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ରେ ଯୋଡ଼ି ହେଲା ‘ଫ୍ରି ଦି ଟ୍ରି’ କ୍ୟାମ୍ପେନ ।

0 8

ବ୍ରହ୍ମପୁର,୦୬/୧୦(ପିପିଟି): ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନରେ ପରିବେଶ ସୁରକ୍ଷାକୁ ସାମିଲ କରି ‘ଫ୍ରି ଦି ଟ୍ରି’ କ୍ୟାମ୍ପେନ ଆରମ୍ଭ ହୋଇଛି। ବ୍ରହ୍ମପୁର ମହାନଗର ନିଗମ ଓ ବ୍ରହ୍ମପୁର ସବୁଜ ବାହିନୀର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଛକ ପର୍ଯ୍ୟନ୍ତ ସ୍ୱଚ୍ଛତା ଓ ବୃକ୍ଷ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ରାସ୍ତାକଡ଼ର ବୃକ୍ଷଗୁଡ଼ିକରେ ଲାଗିଥିବା ଟ୍ରି ଗାର୍ଡ, କଣ୍ଟା ଓ ହୋର୍ଡିଂ ହଟାଯାଇଥିଲା। ପ୍ରାୟ ୧୭ଟି ଗଛରୁ ଟ୍ରି ଗାର୍ଡ ହଟାଯାଇଥିବା ବେଳେ ୩୦ରୁ ଅଧିକ ଗଛ ମୂଳରୁ ପ୍ଲାଷ୍ଟିକ ଓ କଂକ୍ରିଟ୍‌ ହଟାଯାଇଥିଲା । ଏଥିସହ ଏକ ଦୋକାନରୁ ବିକ୍ରି ହେଉଥିବା ତମାଖୁ ଓ ଗୁଟଖା ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଯୋଗଦେଇ ସହରକୁ ସବୁଜ,ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସମସ୍ତେ ମିଳିତ ଭାବେ ବୃକ୍ଷର ସୁରକ୍ଷା କରିବା ସହ ଗଛଗୁଡ଼ିକରେ କଣ୍ଟା ଓ ହୋର୍ଡିଂ ନଲଗାଇବାକୁ ସେ ଆହ୍ୱାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍,ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର, ବିଏମସି କମିଶନର ଆକବରମ୍‌ ସସ୍ୟା ରେଡ୍ଡୀ ଓ ସ୍ଥାନୀୟ କର୍ପୋରେଟର ପ୍ରଦୀପ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।

ମେୟର ଶ୍ରୀମତୀ ଦଳେଇ ବୃକ୍ଷରେ ବେଆଇନ ଭାବେ ହୋର୍ଡିଂ ଓ କଣ୍ଟା ଲଗାଇଲେ ଆଗାମୀ ଦିନରେ ବିଏମସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଜିଲ୍ଲାପାଳ ଶ୍ରୀ ଭାସନ୍ ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଧୀନରେ ‘ଫ୍ରି ଦି ଟ୍ରି’ କ୍ୟାମ୍ପେନକୁ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ ।

ବୃକ୍ଷରେ କଣ୍ଟା ମାରିବା ଓ ହୋର୍ଡିଂ ଲଗାଇବା ଦ୍ୱାରା ଗଛରେ ସୃଷ୍ଟି ହେଉଥିବା କ୍ଷତି ସମ୍ପର୍କରେ ବିଏମସି କମିଶନର ଓ ବନଖଣ୍ଡ ଅଧିକାରୀ ଲୋକଙ୍କୁ ସଚେତନ କରିଥିଲେ ।

କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ସାଗର ପାତ୍ର,ବିଏମସି ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା,ଆସିଷ୍ଟାଣ୍ଟ କମିଶନର ରୋନିତ କୁମାର, ବ୍ରହ୍ମପୁର ରେଞ୍ଜର ବିମ୍ବାଧର ସାହୁ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର, ପରିବେଶବିତ୍ ସ୍ୱାଧୀନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.