ମିଡିଆ ସେଲ୍ କୁ ନବୀନଙ୍କ ଆହ୍ୱାନ: ଲୋକଙ୍କ ସ୍ୱାର୍ଥ ପାଇଁ ଶକ୍ତିଶାଳୀ ଭାବେ ସ୍ୱର ଉଠାଅ ।

0 5

ଭୁବନେଶ୍ୱର,୦୪/୧୦(ପିପିଟି): ବିଜୁ ଜନତା ଦଳର ନବଗଠିତ ମିଡିଆ ସେଲ୍ ଟିମକୁ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜନସମସ୍ୟାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ସେ ନବଗଠିତ ମିଡିଆ ସେଲ୍ର ସଂଯୋଜକ ଟିମ୍ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ନବୀନ କହିଥିଲେ, ବିଜେପି ସରକାରଙ୍କ ଶାସନ ଓ ପରିଚାଳନାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେଡିକୁ ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ ଉଠାଇବା ସହ ସେମାନଙ୍କୁ ସଚେତନ କରିବାକୁ ହେବ ବୋଲି ସେ କହିଥିଲେ।

ରାଜ୍ୟ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି, ନୀତି ଓ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟଭିତ୍ତିକ ଭାବେ ଲୋକଙ୍କୁ ଅବଗତ କରାଇବାରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଥିଲେ। ବିଜେଡିର ସମସ୍ତ କାର୍ଯ୍ୟକ୍ରମ ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସରକାରଙ୍କ ନିଷ୍ପତ୍ତିରେ ଲୋକଙ୍କ ସ୍ୱାର୍ଥ ପ୍ରଭାବିତ ହେଉଥିଲେ ତାହାକୁ ଉପଯୁକ୍ତ ମଞ୍ଚରେ ଉଠାଇବାକୁ ସେ ପରାମର୍ଶ ଦେଇଥିଲେ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଦଳକୁ ଦୃଢ଼ ଭାବେ ଲଢ଼େଇ ଜାରି ରଖିବାକୁ ନବୀନ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.