ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ, ଗୁଳିମାଡ଼ରେ ଆହତ ।

0 215

ଭୁବନେଶ୍ୱର,୦୩/୧୦(ପିପିଟି ): ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ କମିଶନରେଟ୍ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଚନ୍ଦକା ଅଞ୍ଚଳରୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିବା ସମୟରେ ଗୁଳିମାଡ଼ରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଆହତ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ଗଞ୍ଜାମ ଜିଲ୍ଲାର ଶ୍ରୀଧର ପଣ୍ଡା ବୋଲି ଜଣାପଡ଼ିଛି।
ପୁଲିସର ସୂଚନା ଅନୁସାରେ, ପୀଡ଼ିତା ତାଙ୍କ ଭଉଣୀଙ୍କ ସହ ନୟାପଲ୍ଲୀରେ ରହୁଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ଭଉଣୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଯୁବତୀ ଘରେ ଏକା ଥିଲେ। ସେ ବେଡ୍ରୁମ୍ରେ ଲାପଟପ୍ରେ କାମ କରୁଥିବା ସମୟରେ ଘରର କବାଟ ଖୋଲା ଥିବାର ସୁଯୋଗ ନେଇ ଜଣେ ମୁଖାପିନ୍ଧା ବ୍ୟକ୍ତି ଘରେ ପ୍ରବେଶ କରିଥିଲେ। ଅଭିଯୋଗ ଅନୁଯାୟୀ, ସେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ସେ ଘରର କବାଟକୁ ବାହାର ପଟୁ ବନ୍ଦ କରି ଘଟଣାସ୍ଥଳରୁ ଚାଲିଯାଇଥିଲେ।
ଭଉଣୀ ଘରକୁ ଫେରିବା ପରେ ଯୁବତୀଙ୍କ ଅବସ୍ଥା ଦେଖି ଘଟଣା ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇ ଅଭିଯୁକ୍ତଙ୍କ ଗତିବିଧି ସମ୍ପର୍କରେ ପୁଲିସ ସୂଚନା ପାଇଥିଲା।
ସିସିଟିଭି ଫୁଟେଜ୍ ଅନୁସାରେ, ଅଭିଯୁକ୍ତ ଘଟଣାସ୍ଥଳରୁ ଚାଲି ଜାତୀୟ ରାଜପଥ ନିକଟରେ ପହଞ୍ଚିଥିଲେ। ସେଠାରୁ ଏକ ‘ମୋ ବସ୍’ରେ ଚଢ଼ି ସିଆରପି ଛକ ଅଭିମୁଖେ ଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ସିଆରପି ଛକରେ ଓହ୍ଲାଇ ସେ ଏକ ଅଟୋରେ ପାୱାର ହାଉସ୍ ଛକ ଅଭିମୁଖେ ଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ପରେ ସେଠାରୁ ଏକ ବାଇକ୍ ଚୋରି କରି ଫେରାର ହୋଇଥିବା ପୁଲିସ ସୂଚନା ପାଇଥିଲା।
ପୁଲିସ ତଦନ୍ତ ଜାରି ରଖି ଅଭିଯୁକ୍ତଙ୍କ ଗତିବିଧି ଟ୍ରାକ୍ କରିବା ପରେ ତାଙ୍କୁ ଚନ୍ଦକା ଅଞ୍ଚଳରୁ ଧରିଥିଲା। ପୁଲିସର ଦାବି ଅନୁଯାୟୀ, ଗିରଫ ସମୟରେ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସର ଗୁଳିମାଡ଼ରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.