କେବିସି ହଟ୍‌ସିଟ୍‌ରେ ଚମକିଲେ ମୟୂରଭଞ୍ଜର ସୋନାଲି, ଜିତିଲେ ୧୨.୫ ଲକ୍ଷ ।

0 198

ମୟୂରଭଞ୍ଜ ,୦୩/୧୦: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ଝିଅ ତଥା ଡାକ ବିଭାଗର କର୍ମଚାରୀ ସୋନାଲି ଶେଷାଦ୍ରୀ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ ‘କୌନ୍ ବନେଗା କରୋଡପତି’ (କେବିସି)ର ହଟ୍‌ସିଟ୍‌ରେ ବସି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ କାର୍ଯ୍ୟକ୍ରମରେ ୧୨.୫ ଲକ୍ଷ ଟଙ୍କା ଜିତି ସେ ମୟୂରଭଞ୍ଜ ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ସୋନାଲିଙ୍କ କେବିସି ଯାତ୍ରା ଆରମ୍ଭ ହୋଇଥିଲା ଗତ ଜାନୁଆରୀରେ। ସେ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ନାମ ପଞ୍ଜିକରଣ କରିଥିଲେ। ମାର୍ଚ୍ଚରେ କ୍ୱାଲିଫାଏ କରିବା ପରେ ଜୁନ୍‌ରେ କଲକାତାରେ ଅଡିସନ୍‌ ଦେଇ ମନୋନୀତ ହୋଇଥିଲେ। ପରେ ‘ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ’ ପର୍ଯ୍ୟାୟରେ ସେ ଶୀର୍ଷ ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ରହିଥିଲେ। ବଜର ରାଉଣ୍ଡରେ ଦ୍ରୁତ ଉତ୍ତର ଦେଇ ସେ ବାଜି ମାରିଥିଲେ ଏବଂ ହଟ୍‌ସିଟ୍‌ରେ ବସିବାର ସୁଯୋଗ ପାଇଥିଲେ।

ହଟ୍‌ସିଟ୍‌ରେ ଅମିତାଭ ବଚ୍ଚନ ସୋନାଲିଙ୍କୁ ମୋଟ ୧୬ଟି ପ୍ରଶ୍ନ ପଚାରିଥିଲେ। ସେଥିରୁ ୧୨ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ସେ ୧୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଥିଲେ। ପରେ ସେ ପ୍ରତିଯୋଗିତାରୁ ଓହରିଯାଇଥିଲେ। ଅମିତାଭ ବଚ୍ଚନଙ୍କ ସହ ଆଲୋଚନା କରିବା, ନିଜ ଜୀବନ ଓ ପରିବାରର ସୁଖଦୁଃଖ ବାଣ୍ଟିବା ତାଙ୍କ ପାଇଁ ଏକ ଅଭୁଲା ଅନୁଭୂତି ବୋଲି ସୋନାଲି କହିଛନ୍ତି।

ଖୁଣ୍ଟା ବ୍ଲକ୍‌ର ବାସିପିଠାସ୍ଥିତ ଡାକଘରେ ସୋନାଲି ବର୍ତ୍ତମାନ ଗ୍ରାମୀଣ ଡାକ ସେବକ (ଜିଡିଏସ୍‌) ଭାବେ କାର୍ଯ୍ୟରତ। ଚାକିରି ସମୟ ପରେ କେବିସିରେ ପଚରାଯାଉଥିବା ସମ୍ଭାବ୍ୟ ପ୍ରଶ୍ନ, ସାଧାରଣ ଜ୍ଞାନ ଓ ବିଭିନ୍ନ ବିଷୟ ଅଧ୍ୟୟନ କରିବା ସହ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରିଥିଲେ। ଏହି ପ୍ରସ୍ତୁତିରେ ପରିବାରର ସମର୍ଥନ ତାଙ୍କୁ ଉତ୍ସାହ ଦେଇଥିଲା।

ସୋନାଲି ସୁଶାନ୍ତ ଦଳେଇ ଓ ରୀନା ଦଳେଇଙ୍କ ଏକମାତ୍ର ସନ୍ତାନ। ଜୀବନର ବିଭିନ୍ନ ପ୍ରତିକୂଳତା ମଧ୍ୟରେ ସେ ନିଜ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିଛନ୍ତି। ବାପା ଦୁର୍ଘଟଣାର ଶିକାର ହେବା ପରେ ପରିବାରର ଦାୟିତ୍ୱର ଏକ ବଡ଼ ଅଂଶ ସେ ନିଜେ ସମ୍ଭାଳିଥିବା ବେଳେ ମାଆ ତାଙ୍କୁ ସବୁବେଳେ ସାହସ ଯୋଗାଇଥିଲେ।

Leave A Reply

Your email address will not be published.