ଶ୍ରୀମନ୍ଦିରରେ ଆଜିଠାରୁ ଷୋଳ ପୂଜା, ଆରମ୍ଭ ହେବ ଦୁର୍ଗାମାଧବ ଉପାସନା ।

0 8

ପୁରୀ, ୦୩/୧୦(ପିପିଟି): ମୂଳାଷ୍ଟମୀ ଅବସରରେ ଶନିବାର ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ ନୀତି ସମ୍ପନ୍ନ ହେବ। ଏହା ସହିତ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀପୀଠରେ ଆରମ୍ଭ ହେବ ଷୋଳ ଦିନାତ୍ମକ ପୂଜାର୍ଚ୍ଚନା। ଶାରଦୀୟ ପୂଜା ଅବସରରେ ଏହି ନୀତି ସହ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନାର ମଧ୍ୟ ଶୁଭାରମ୍ଭ ହେବ।

ପରମ୍ପରା ଅନୁଯାୟୀ, ବଡ଼ଦେଉଳର ରତ୍ନଭଣ୍ଡାରରୁ ମା’ ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ରତ୍ନସିଂହାସନକୁ ବିଜେ କରିବେ। ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ପାଇବା ପରେ ମା’ ଦୁର୍ଗା ସୋମନାଥ ମଣ୍ଡପକୁ ବିଜେ କରିବେ। ସେଠାରେ ଶ୍ରୀଅଙ୍ଗ ପୋଛାଯିବା ସହ ନୂଆଲୁଗା ଲାଗି କରାଯାଇ ଠାକୁରାଣୀଙ୍କ ବେଶ ଅନୁଷ୍ଠିତ ହେବ। ଏହାପରେ ଯଥାବିଧି ସହସ୍ର କୁମ୍ଭାଭିଷେକ ନୀତି ସମ୍ପନ୍ନ ହେବ।
ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ମାଧବ ଭାବେ ପରିଚିତ ହୋଇଥିବାରୁ ଶ୍ରୀକ୍ଷେତ୍ରରେ ଦୁର୍ଗାଙ୍କ ସହ ମାଧବଙ୍କ ଉପାସନାର ସ୍ୱତନ୍ତ୍ର ପରମ୍ପରା ରହିଛି। ଶନିବାର ଅପରାହ୍ନରେ ମାଧବ ଆଜ୍ଞାମାଳ ପାଇ ଭଣ୍ଡାର ଦ୍ୱାରକୁ ବିଜେ କରିବେ। ସେଠାରେ ପୂର୍ବରୁ ଦେବୀ ଦୁର୍ଗା ଅଧିଷ୍ଠିତ ହୋଇଥିବେ। ବିଧି ଅନୁଯାୟୀ ଉଭୟ ଦେବଦେବୀଙ୍କୁ ରୁନ୍ଧା କରାଯିବ। ପରେ ମା’ ବିମଳାଙ୍କ ଜଗମୋହନକୁ ଉଭୟଙ୍କୁ ବିଜେ କରାଯାଇ ସେଠାରେ ସ୍ୱତନ୍ତ୍ର ପୂଜାନୀତି ସମ୍ପନ୍ନ ହେବ।

ଷୋଳ ପୂଜାର ନବମ ଦିନ, ଅର୍ଥାତ୍ ଅକ୍ଟୋବର ୧୧ରୁ ଦୁର୍ଗାମାଧବଙ୍କ ବାହାର ବିଜେ ଆରମ୍ଭ ହେବ। ଏହି ଅବସରରେ ଏକ ରଥାକୃତି ବିମାନରେ ଦୁର୍ଗାମାଧବଙ୍କୁ ଶ୍ରୀମନ୍ଦିର ସମ୍ମୁଖ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରାଯିବ।
ଶାରଦୀୟ ପୂଜାର ମୁଖ୍ୟ ନୀତି ମଧ୍ୟରେ ଅକ୍ଟୋବର ୧୭ରେ ମହାସପ୍ତମୀ, ୧୮ରେ ମହାଷ୍ଟମୀ ଏବଂ ୧୯ରେ ମହାନବମୀ ପୂଜା ଅନୁଷ୍ଠିତ ହେବ। ଅକ୍ଟୋବର ୨୧ରେ ଦଶହରା ପୂଜା ସମ୍ପନ୍ନ ହେବ। ଏହି ଅବସରରେ ଶ୍ରୀମନ୍ଦିରରେ ପାରମ୍ପରିକ ଷୋଳ ପୂଜା ଓ ଦୁର୍ଗାମାଧବ ଉପାସନାର ବିଭିନ୍ନ ନୀତି ଯଥାବିଧି ସମ୍ପନ୍ନ ହେବ।

Leave A Reply

Your email address will not be published.