ବ୍ରହ୍ମପୁରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ।

0 209

ବ୍ରହ୍ମପୁର,୦୧/୧୦(ପିପିଟି): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ବରିଷ୍ଠ ନାଗରିକ ଦିବସ -୨୦୨୬ ପାଳନ ହୋଇଛି । ଏଥି ନିମନ୍ତେ ହିଲ୍ ପାଟନା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରାଙ୍କ ସହ ସମ୍ମାନିତ ଅତିଥି ଡେପୁଟି କଲେକ୍ଟର ସୁବ୍ରତ ଶତପଥୀ ଏବଂ ମୁଖ୍ୟବକ୍ତା ଭାବେ ସୁରେଶ ଚନ୍ଦ୍ର ମିଶ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ । ସମାଜରେ ବୟସ୍କ ବ୍ୟକ୍ତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରତି କୃତଜ୍ଞତା ପ୍ରକାଶ ପୂର୍ବକ ସ୍ମତିଚାରଣ ତଥା ସମ୍ମାନ ପ୍ରଦର୍ଶନ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଉକ୍ତ ଦିବସ ପାଳନର ଉଦ୍ଦେଶ୍ୟ । ଉପଖଣ୍ଡ ପ୍ରଶାସନ ପକ୍ଷରୁ ପାଳିତ ଏହି ଦିବସରେ ଯୋଗ ପ୍ରାଣାୟମ, ସ୍ୱାସ୍ଥ୍ୟ ଶିବିର ସହ ‘ଏକ୍ ପେଡ଼ ମା’ କି ନାମ’ ଅନ୍ତର୍ଗତ ଚାରାରୋପଣ ଆଦି କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଏବଂ ସଂପାଦକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ, ଆମ୍ବପୁଆର ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ବରିଷ୍ଠ ନାଗରିକ ପ୍ରଫେସର ଭାସ୍କର ପାଢ଼ୀ, ନବୀନ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ଦାସ, ସୂର୍ଯ୍ୟକାନ୍ତ ପାତ୍ର, ଶ୍ରୀବତ୍ସ ପ୍ରଧାନ, ଟି. ନରେନ୍ଦ୍ର ପ୍ରସାଦ ଦାସ, କେ. ରତ୍ନମାଳା ପାତ୍ର, କେ.ଟି.ସୁବୁଦ୍ଧି ମହାଭାଗଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବରିଷ୍ଠ ନାଗରିକଙ୍କ ସହ ଏଚ୍.କେ.ଆର୍.ସି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମଟି ସଫଳତାର ସହ ସଂପନ୍ନ ହୋଇଥିବାରୁ ନିମନ୍ତ୍ରିତ ଅତିଥି ଏବଂ ଉପସ୍ଥିତ ସଭିଙ୍କୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.