ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ରଦ୍ଦ, ଜ୍ଞାନେଶ କୁମାରଙ୍କ ବରଖାସ୍ତ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ।

0 120

ଭୁବନେଶ୍ୱର, ୨୯/୦୯(ପିପିଟି): କେନ୍ଦ୍ର ସରକାରଙ୍କ ଖଣି ଆଇନ ଓ ଏମ୍‌ଏମ୍‌ଡିଆର୍‌ (ସଂଶୋଧନ) ଆଇନ–୨୦୨୬ ରଦ୍ଦ ଦାବିରେ ଆଜି ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆୟୋଜିତ ବିଶାଳ ବିକ୍ଷୋଭ, ପ୍ରତିବାଦ ସଭା ଓ ବିଧାନସଭା ଘେରାଉ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଶକ୍ତିଶାଳୀ ଜନମତ ପ୍ରକାଶ ପାଇଛି। ଇଣ୍ଡିଆ ବ୍ଲକ୍‌ର ରାଜ୍ୟସ୍ତରୀୟ ନେତୃବୃନ୍ଦ ବିଜେପି ସରକାର ଉପରେ ତୀବ୍ର ସମାଲୋଚନା କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ୍‌ଠାରୁ ବାହାରିଥିବା ବିଶାଳ ପଟୁଆରରେ ବହୁ ସଂଖ୍ୟାରେ ଶ୍ରମିକ, କୃଷକ, ଯୁବ, ଛାତ୍ର, ମହିଳା, ଆଦିବାସୀ, ଦଳିତ ଓ ସାଧାରଣ ଲୋକ ଯୋଗଦେଇ ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ବିଶାଳ ଜନଗର୍ଜନ ସମାବେଶରେ ସାମିଲ ହୋଇଥିଲେ।

ଏହି ଆନ୍ଦୋଳନରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ମୁଖ୍ୟତଃ ଚାରିଟି ଦାବି ଉପସ୍ଥାପିତ ହୋଇଛି। ପ୍ରଥମତଃ, ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଆର୍ଥିକ ଅଧିକାର ଉପରେ କେନ୍ଦ୍ରୀୟ ହସ୍ତକ୍ଷେପକୁ ବନ୍ଦ କରି ଏମ୍‌ଏମ୍‌ଡିଆର୍‌ (ସଂଶୋଧନ) ଆଇନ–୨୦୨୬କୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଦାବି କରାଯାଇଛି। ଓଡ଼ିଶାର ଖଣିଜ ସମ୍ପଦ ଓ ସେଥିରୁ ମିଳୁଥିବା ରାଜସ୍ୱ ଉପରେ ରାଜ୍ୟର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ନୀତି ବିରୋଧରେ ଇଣ୍ଡିଆ ବ୍ଲକ୍‌ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛି।

ଦ୍ୱିତୀୟତଃ, ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକା ସମ୍ପର୍କିତ ଗୁରୁତର ଅନିୟମିତତା ନେଇ ଉଠିଥିବା ଗମ୍ଭୀର ଅଭିଯୋଗର ପୂର୍ଣ୍ଣ ତଦନ୍ତ ସହିତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ କରିବାକୁ ଦାବି କରାଯାଇଛି। ନିର୍ବାଚନ ବ୍ୟବସ୍ଥାର ନିରପେକ୍ଷତା, ପାରଦର୍ଶିତା ଓ ଜନବିଶ୍ୱାସ ସୁରକ୍ଷିତ ରଖିବା ପାଇଁ ଏହି ପ୍ରସଙ୍ଗରେ ଉତ୍ତରଦାୟିତ୍ବ ନିଶ୍ଚିତ କରିବାକୁ ଦାବି ହୋଇଛି। ଜ୍ଞାନେଶ କୁମାରଙ୍କ ବିରୋଧରେ ନିର୍ବାଚନୀ ତାଲିକା ସମ୍ପର୍କିତ ଅଭିଯୋଗକୁ ନେଇ ଜାତୀୟ ସ୍ତରରେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଶ୍ନ ଉଠାଯାଇଛି।
ତୃତୀୟତଃ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ଅରାଜକତା ଓ ଅବ୍ୟବସ୍ଥା ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା, ଶିକ୍ଷକ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାର ପ୍ରତି ସରକାରଙ୍କ ଅବହେଳା ବିରୋଧରେ ଇଣ୍ଡିଆ ବ୍ଲକ୍‌ ତୀବ୍ର ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛି।

ଚତୁର୍ଥତଃ, ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଓ ପର୍ଯ୍ୟାପ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରାଯାଇଛି। ବନ୍ୟାରେ ଘରବାଡ଼ି, ଚାଷବାସ, ଜୀବିକା ଓ ସମ୍ପତ୍ତି ହରାଇଥିବା ପରିବାରମାନଙ୍କୁ ଯଥୋଚିତ କ୍ଷତିପୂରଣ, ଖାଦ୍ୟ, ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ରିଲିଫ୍‌ ତୁରନ୍ତ ପହଞ୍ଚାଇବା ସହିତ ପୁନର୍ବାସନର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଆଜିର ବିଶାଳ ଆନ୍ଦୋଳନକୁ ଆଗକୁ ନେଇ ଇଣ୍ଡିଆ ବ୍ଲକ୍‌ ୮ ଅକ୍ଟୋବର ୨୦୨୬ରେ ସମଗ୍ର ଓଡ଼ିଶା ବନ୍ଦ ପାଳନ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଆହ୍ୱାନ ଦେଇଛନ୍ତି । ଏହି ବନ୍ଦକୁ ଏକ ବ୍ୟାପକ ଜନଆନ୍ଦୋଳନର ରୂପ ଦେବା ପାଇଁ ଶ୍ରମିକ, କୃଷକ, କୃଷି ଶ୍ରମିକ, ଯୁବ, ଛାତ୍ର, ମହିଳା, ଆଦିବାସୀ, ଦଳିତ, ବ୍ୟବସାୟୀ, ବୁଦ୍ଧିଜୀବୀ ଓ ସମସ୍ତ ଗଣତାନ୍ତ୍ରିକ ମହଳକୁ ସାମିଲ କରିବାକୁ ଆହ୍ୱାନ ଦିଆଯାଇଛି।

ଇଣ୍ଡିଆ ବ୍ଲକ୍‌ର ଓଡ଼ିଶା ଆନ୍ଦୋଳନରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍‌ଏଲ୍) ଲିବରେସନ୍‌, ଫରୱାର୍ଡ ବ୍ଲକ୍‌, ଏନ୍‌ସିପି–ଶରଦ ପାୱାର, ସମାଜବାଦୀ ପାର୍ଟି, ଆର୍‌ଜେଡି ଏବଂ ଜେଏମ୍‌ଏମ୍‌ ସାମିଲ ହୋଇଛନ୍ତି। ଆଜିର ପରିବର୍ତ୍ତନ ରାଲିରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ୍) ଲିବରେସନ୍‌ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍‌ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍‌ସିପି–ଶରଦ ପାୱାର ରାଜ୍ୟ ସଭାପତି  ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି  ଶିବ ହାତୀ ଯାଦବ ଏବଂ ଆର୍‌ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ବିଭିନ୍ନ ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ ଉଦ୍‌ବୋଧନ ଦେଇ ନେତୃତ୍ୱ ପ୍ରଦାନ କରିଥିଲେ।

ଇଣ୍ଡିଆ ବ୍ଲକ୍‌ର ନେତୃବୃନ୍ଦ କହିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦ, ରାଜ୍ୟର ଅଧିକାର, ଗଣତାନ୍ତ୍ରିକ ଅଧିକାର, ଶିକ୍ଷା ଓ ଜନଜୀବନର ସୁରକ୍ଷା ପାଇଁ ଆନ୍ଦୋଳନ ଏବେ ଆହୁରି ବ୍ୟାପକ ହେବ। କେବଳ ବିଧାନସଭା ଭିତରେ ଆଲୋଚନାରେ ସୀମିତ ନରହି ଜନସାଧାରଣଙ୍କୁ ନେଇ ରାସ୍ତାରେ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି। ବିଧାନସଭା ଅଧିବେଶନ ଶେଷ ହେବା ପାଇଁ ନିର୍ଦ୍ଧାରିତ ତାରିଖର ୧୦ ଦିନ ପୂର୍ବରୁ ବିଧାନସଭା ବନ୍ଦ କରିଦେବା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ନେତୃବୃନ୍ଦ କହିଛନ୍ତି।

ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ୮ ଅକ୍ଟୋବରର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ କରାଯାଇଛି। ରାଜ୍ୟର ସମ୍ପଦ ଓ ଅଧିକାରର ସୁରକ୍ଷା, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା, ଶିକ୍ଷା ଓ ଜନଜୀବନର ସୁରକ୍ଷା ଏବଂ ବନ୍ୟା ପୀଡ଼ିତଙ୍କ ନ୍ୟାୟସଙ୍ଗତ ସହାୟତା ପାଇଁ ଏହି ବନ୍ଦକୁ ଏକ ଶକ୍ତିଶାଳୀ ଜନପ୍ରତିବାଦରେ ପରିଣତ କରିବାକୁ ଆହ୍ୱାନ ଦିଆଯାଇଛି।

ଏହି ସଭାରେ ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ଜୟଦେବ ଜେନା, ରାମକୃଷ୍ଣ ପଣ୍ଡା, ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନ୍‌ଗୋ, ଜଗନ୍ନାଥ ପଟ୍ଟନାୟକ, ଅଳି କିଶୋର ପଟ୍ଟନାୟକ, ରାମଚନ୍ଦ୍ର କାଡାମ୍‌, ଲକ୍ଷ୍ମଣ ମୁଣ୍ଡା, ତାରାପ୍ରସାଦ ବାହିନୀପତି, ଅଶୋକ ଦାସ, ପ୍ରଫୁଲ୍ଲ ପ୍ରଧାନ, ସତ୍ୟଜିତ ଗୋମାଙ୍ଗ, ସାଗର ଦାସ, ରାଜନ ଏକ୍କା, ନୀଳମାଧଵ ହିକକା, ଏନ୍‌. ନାରାୟଣ ରେଡ୍ଡୀ, ମିନାକ୍ଷୀ ବାହିନୀପତି, ରାଧାକାନ୍ତ ସେଠୀ, ସସ୍ମିତା ବେହେରା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ନଗେନ୍ଦ୍ର ପ୍ରଧାନ,ପ୍ରମୁଖ ବହୁ କଂଗ୍ରେସ ଏବଂ ବାମପନ୍ଥୀ ନେତୃବୃନ୍ଦ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

ଏହି ବିକ୍ଷୋଭ ସମାବେଶକୁ ବିଶ୍ୱରଂଜନ ମହାନ୍ତି ଓ ସିଦ୍ଧାର୍ଥ ସ୍ୱରୂପ ଦାଶ ସଂଯୋଜନା କରିଥିଲେ।

Leave A Reply

Your email address will not be published.