ବ୍ରହ୍ମପୁର,୨୫/୦୯(ପିପିଟି): ବ୍ରହ୍ମପୁର ସହରରେ ନିର୍ମାଣାଧୀନ କୋଠା ପରିସରରେ ଅସୁରକ୍ଷିତ ଭାବେ ଖୋଲା ରହିଥିବା ଗଭୀର ଗାତ ପୁଣିଥରେ ପଶୁଙ୍କ ପାଇଁ ମୃତ୍ୟୁଫାନ୍ଦ ପାଲଟିଛି । ହରିଡ଼ାଖଣ୍ଡି ପୋଖରୀ ନିକଟ ଶନି ମନ୍ଦିର ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ ପରିସରରେ ଗଭୀର ଗାତରେ ପଡ଼ି ଏକ ଷଣ୍ଢ ଗୁରୁତର ଆହତ ହୋଇଥିବାବେଳେ, ଦୀର୍ଘ ସମୟର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ତେବେ ଏହି ଘଟଣା ଅଞ୍ଚଳରେ ଖୋଲା ଗାତର ସୁରକ୍ଷା ବ୍ୟବସ୍ଥା ଏବଂ ନିର୍ମାଣ ସ୍ଥଳର ନିରୀକ୍ଷଣକୁ ନେଇ ପୁଣିଥରେ ପ୍ରଶାସନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।
ସୂଚନା ଅନୁଯାୟୀ, ଷଣ୍ଢଟି ଅର୍ଦ୍ଧନିର୍ମିତ କୋଠା ପରିସରରେ ଥିବା ଏକ ଗଭୀର ଗାତରେ ପଡ଼ିଯାଇଥିଲା । ଗାତରେ ପଡ଼ି ଆହତ ହେବା ସହ ସେଠାରେ ଦୀର୍ଘ ସମୟ ଧରି ଜମିଥିବା ପାଣିରେ ରହିଥିବାରୁ ତାହାର ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ଘଟଣା ଜଣାପଡ଼ିବା ପରେ କିଛି ସ୍ଥାନୀୟ ଯୁବକ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ମାତ୍ର ଗାତଟି ଅତ୍ୟନ୍ତ ଗଭୀର ଓ ବିପଦପୂର୍ଣ୍ଣ ହୋଇଥିବାରୁ ସେମାନେ ସଫଳ ହୋଇନଥିଲେ ।
ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯିବାରୁ ଏସ୍.କେ. ଲେଙ୍କା, ଏସ୍. ଧଳ, ବିଜୟ ବେହେରା, କାହ୍ନୁଚରଣ ଗୋଛାୟତ ଓ ଦୁଷ୍ମନ୍ତ ମାଝୀଙ୍କ ସମେତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିପଦପୂର୍ଣ୍ଣ ପରିସ୍ଥିତିରେ ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ସେମାନେ ଷଣ୍ଢଟିକୁ ଗାତରୁ ବାହାର କରିଥିଲେ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ନିର୍ମାଣାଧୀନ ପରିସରରେ ଦୀର୍ଘଦିନ ଧରି ଗାତ ଖୋଲା ରହିଛି । ଏହି ଗାତରେ ପଡ଼ି ପୂର୍ବରୁ ଅନେକ ପଶୁ ଆହତ ହୋଇଥିବାବେଳେ ଏକ ଗାଈ ଓ ୨୦ରୁ ଊର୍ଦ୍ଧ୍ୱ କୁକୁର ଛୁଆଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ।
ପୂର୍ବରୁ ଏନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଗାତ ଗୁଡ଼ିକୁ ଆବଦ୍ଧ କରାଯାଇନଥିବାରୁ ଅସନ୍ତୋଷ ବଢ଼ିଛି । ଏହି ଘଟଣାର ପୁନରାବୃତ୍ତି ନିର୍ମାଣ ସ୍ଥଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ନିୟମିତ ଯାଞ୍ଚର ଆବଶ୍ୟକତାକୁ ସାମ୍ନାକୁ ଆଣିଛି ।
ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ କହିଛନ୍ତି,ନିର୍ମାଣାଧୀନ ଆପାର୍ଟମେଣ୍ଟ ଓ କୋଠା ପାଇଁ ଫାଉଣ୍ଡେସନ୍,ବେସମେଣ୍ଟ ଓ ଲିଫ୍ଟ ନିମନ୍ତେ ଖୋଳାଯାଉଥିବା ଗଭୀର ଗାତଗୁଡ଼ିକୁ ସୁରକ୍ଷିତ ଭାବେ ଆବଦ୍ଧ କରାନଯିବାରୁ ନିରୀହ ପଶୁମାନେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି । ଏଭଳି ଘଟଣା ରୋକିବା ପାଇଁ ପ୍ରଶାସନ ନିର୍ମାଣ ସ୍ଥଳ ଗୁଡ଼ିକରେ ନିୟମିତ ଯାଞ୍ଚ କରିବା ସହ ଅସୁରକ୍ଷିତ ଭାବେ ଗାତ ଖୋଲା ରଖୁଥିବା ମାଲିକ ଓ ନିର୍ମାଣକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।