ବ୍ରହ୍ମପୁର,୨୪/୦୯(ପିପିଟି): ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିବା ଦୁରବର୍ତ୍ତୀ ଜାମୁଗଣ୍ଡା ଗ୍ରାମରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ୍ ଦଳର ସାହସିକ ଓ ତ୍ୱରିତ ପ୍ରୟାସରେ ସୁରକ୍ଷିତ ଭାବେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।
ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ବୁରାତାଲ ଗ୍ରାମପଞ୍ଚାୟତର ଜାମୁଗଣ୍ଡା ଗ୍ରାମ ମହେନ୍ଦ୍ରତନୟା ନଦୀର ପ୍ରବଳ ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିଲା। ଏହି ସମୟରେ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ପହଞ୍ଚାଇବା ଜରୁରୀ ହୋଇପଡ଼ିଥିଲା । ସୂଚନା ପାଇ ଓଡ୍ରାଫ୍ ଦଳ ତତ୍କ୍ଷଣାତ୍ ପହଞ୍ଚି ମହେନ୍ଦ୍ରତନୟା ନଦୀର ପ୍ରଖର ସ୍ରୋତ ମଧ୍ୟରେ ଅତ୍ୟନ୍ତ ସତର୍କତାର ସହ ଗର୍ଭବତୀଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ପାତ୍ରପୁର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।
ଓଡ୍ରାଫ୍ ଦଳର ଏହି ତ୍ୱରିତ, ସାହସିକ ଓ ମାନବିକ ପଦକ୍ଷେପ ଯୋଗୁଁ ଜଣେ ମା’ ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ମିଳିପାରିଛି ।