ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଛତ୍ରପୁରରେ ‘ସୋଲାର ରଥ’ର ଶୁଭାରମ୍ଭ ।

0 206

ଛତ୍ରପୁର,୨୨/୦୯(ପିପିଟି): ଛାତ ଉପରେ ସୌର ପ୍ୟାନେଲ୍‌ ସ୍ଥାପନ ଏବଂ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ‘ସୋଲାର ସଚେତନତା ରଥ’ର ଶୁଭାରମ୍ଭ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ମିଳିତ ଭାବେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ ।

ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୩ ହଜାର ସୌର ପ୍ୟାନେଲ୍‌ ସ୍ଥାପିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୨୦,୬୬୫ଟି ସୌର ପ୍ୟାନେଲ୍‌ ସ୍ଥାପିତ ହୋଇଛି । ଏହି କ୍ଷେତ୍ରରେ ଗଞ୍ଜାମ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି । ସୌର ଶକ୍ତି ବ୍ୟବହାରକୁ ଅଧିକ ବ୍ୟାପକ କରିବା ପାଇଁ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଘରକୁ ଘର ସଚେତନତା,ଗ୍ରାମପଞ୍ଚାୟତ ବୈଠକ,ବ୍ଲକ୍‌ସ୍ତରୀୟ କାର୍ଯ୍ୟକ୍ରମ, ଷ୍ଟଲ୍‌ ଓ ବିକାଶ ମେଳା ଆଦି ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

‘ସୋଲାର ସଚେତନତା ରଥ’ ମାଧ୍ୟମରେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ସରକାରୀ ସବସିଡି, ଆର୍ଥିକ ସହାୟତା ଏବଂ ଛାତ ଉପରେ ସୌର ପ୍ୟାନେଲ୍‌ ସ୍ଥାପନର ସୁବିଧା ସମ୍ପର୍କରେ ଅଡିଓ ଜିଙ୍ଗଲ୍‌, ସୂଚନାପତ୍ର ଓ ବିଭିନ୍ନ ସଚେତନତା ସାମଗ୍ରୀ ମାଧ୍ୟମରେ ଲୋକଙ୍କୁ ସୂଚନା ଦିଆଯିବ। ଏଥିସହ ଗ୍ରାହକଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ଯୋଜନା ସମ୍ପର୍କିତ ସୂଚନା ଓ ସନ୍ଦେହର ସମାଧାନ କରାଯିବ ।

ଏହି ଅବସରରେ ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଗର୍ଗ କହିଛନ୍ତି ଯେ, ‘ସୋଲାର ରଥ’ ମାଧ୍ୟମରେ ସୌର ଶକ୍ତି ଏବଂ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର’ ମାଗଣା ବିଜୁଳି ଯୋଜନା’ ସମ୍ପର୍କିତ ସୂଚନା ସରଳ ଓ ସିଧାସଳଖ ଭାବେ ଲୋକଙ୍କ ନିକଟରେ ପହଞ୍ଚିବ। ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଅଧିକ ପରିବାରଙ୍କୁ ସୌର ଶକ୍ତି ଆପଣାଇବା ପାଇଁ ସଚେତନ ଓ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ସଚେତନତା ରଥ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଗଞ୍ଜାମ, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ପରିକ୍ରମା କରିବ। ଗ୍ରାମ, ଗ୍ରାମପଞ୍ଚାୟତ, ହାଟବଜାର ଓ ବିଭିନ୍ନ ଜନସମାଗମ ସ୍ଥଳ ସମେତ ସହର ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ।

Leave A Reply

Your email address will not be published.