ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬ ।

0 0

ଭୁବନେଶ୍ୱର, ୨୨/୦୯(ପିପିଟି ):ଦୁଗ୍ଧ କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ, ଉତ୍କର୍ଷତା ଏବଂ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଅବଦାନ ପାଇଁ ଓମ୍ଫେଡ୍ (OMFED)କୁ ସମ୍ମାନଜନକ ‘ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଛି।
ଭୁବନେଶ୍ୱରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଓମ୍ଫେଡ୍ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ ଭାରତୀୟ ଚଳଚ୍ଚିତ୍ର ଜଗତର ଅନ୍ୟତମ ଅଭିନେତ୍ରୀ ପୁନମ ଧିଲନ୍ଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମଧ୍ୟ ଯୋଗଦେଇଥିଲେ ।
ଏହି ପୁରସ୍କାର ଓଡ଼ିଶାର ଦୁଗ୍ଧ କ୍ଷେତ୍ରକୁ ସୁଦୃଢ଼ କରିବା ସହ ଦୁଗ୍ଧ ଚାଷୀମାନଙ୍କ ଜୀବୀକା ଓ ଆୟ ବୃଦ୍ଧିରେ ସହାୟତା, ସମବାୟ ଆନ୍ଦୋଳନର ବିକାଶ ଏବଂ ରାଜ୍ୟର ଗ୍ରାମୀଣ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ପ୍ରଗତିରେ ଓମ୍ଫେଡ୍‌ର ଅବଦାନକୁ ସ୍ୱୀକୃତି ପ୍ରଦାନ କରୁଛି।
ଚାଷୀଙ୍କ ସହ ସିଧାସଳଖ ସମ୍ପର୍କ, ଦୁଗ୍ଧ ସଂଗ୍ରହ ଓ ପ୍ରକ୍ରିୟାକରଣ ବ୍ୟବସ୍ଥାର ସୁଦୃଢ଼ୀକରଣ, ଗୁଣାତ୍ମକ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ଯୋଗାଣ ଏବଂ ସମବାୟ ଭିତ୍ତିକ ବିକାଶ ମାଧ୍ୟମରେ ଓମ୍ଫେଡ୍ ରାଜ୍ୟର ଦୁଗ୍ଧ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି।
ଏହି ସ୍ୱୀକୃତି ଓମ୍ଫେଡ୍ ସହ ଜଡ଼ିତ ହଜାର ହଜାର ଦୁଗ୍ଧ ଚାଷୀ, ଦୁଗ୍ଧ ସମବାୟ ସଂସ୍ଥା, କର୍ମଚାରୀ ଏବଂ ସମଗ୍ର ଓଡ଼ିଶାର ଦୁଗ୍ଧ ଶିଳ୍ପ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହି ପୁରସ୍କାର ଓମ୍ଫେଡ୍‌ର ଚାଷୀକେନ୍ଦ୍ରିକ ଆଭିମୁଖ୍ୟ ଏବଂ ଓଡ଼ିଶାର ଗ୍ରାମୀଣ ଅର୍ଥନୀତିକୁ ଆହୁରି ସଶକ୍ତ କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ନୂତନ ଉତ୍ସାହ ପ୍ରଦାନ କରିବ । ଓମ୍ଫେଡ୍ ଏବଂ ଓଡ଼ିଶାର ସମଗ୍ର ଦୁଗ୍ଧ ଉଦ୍ୟୋଗ ପାଇଁ ଏହା ଏକ ଗର୍ବ ଓ ସ୍ମରଣୀୟ । ଏହି ସମ୍ମାନ ଓଡିଶାର ଲକ୍ଷ ଲକ୍ଷ ଓମ୍ଫେଡ୍ ଦୁଗ୍ଧ ଚାଷୀ ଓ କର୍ମଚାରୀଙ୍କର ଏବଂ ସେମାନଙ୍କୁ ଏହା ଉତ୍ସାହିତ କରିବ ବୋଲି କହିଛନ୍ତି ଓମ୍ଫେଡ୍ ଅଧ୍ୟକ୍ଷ ଶ୍ରୀ ପ୍ରଧାନୀ ।

Leave A Reply

Your email address will not be published.